ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡିଢ଼ି ଗ୍ରାମ ଖୁଚୁରା ବିକ୍ରୟ କେନ୍ଦ୍ରର ୮ ବସ୍ତା ଚାଉଳ ଜଣକ ଘରୁ ଯୋଗାଣ ବିଭାଗ ଅଧିକାରୀ ଓ ପୋଲିସ ଟିମ୍ ଚଢ଼ାଉ କରି ସୋମବାର ରାତି ୯ଟାରେ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଖୁଚୁରା ବିକ୍ରୟ କେନ୍ଦ୍ରରେ ୮ ବସ୍ତା ରାଶନ ଚାଉଳ ଗ୍ରାମର ଅନାଦି ଦାସଙ୍କ ଘରେ ଥିବା ନେଇ ଜିଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଖବରପାଇ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ଏକ ୪ ଜଣିଆ ବିଭାଗୀୟ ଅଧିକାରୀ ଦଳ ବଡିଢ଼ି ଗ୍ରାମରେ ଚଢ଼ାଉ କରି ରାଶନ ଚାଉଳ ଜବତ କରିଥିଲେ। ଏ ଚାଉଳ କେଉଁଠୁ ଆଣିଲ, ଲୋକଙ୍କୁ କାହିଁକି ବଣ୍ଟନ ହୋଇ ନ ଥିଲା ବୋଲି ପ୍ରଶ୍ନ ପଚାରିଥିଲେ। ଏଥିରେ ଅନାଦି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ତେବେ ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ଅତିରିକ୍ତ ଯୋଗାଣ ଅଧିକାରୀ ଦାସ ବୋଲି କହିଛନ୍ତି। ଚଢ଼ାଉରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ କିଶୋର କୁମାର ତରାଇଙ୍କ ସମେତ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।


