ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ ଜିଲାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ଓଡ଼ିଶା ପୋଲିସ ପ୍ରୟାସ ଆରମ୍ଭ କରିଛି। ମାଓବାଦୀ ସଙ୍ଗଠନର ଟପ୍ ନେତାଙ୍କ ସମେତ ୧୮ଜଣଙ୍କୁ ଧରାଇଦେଲେ ୮କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏନେଇ ଶନିବାର ଜିଲାର କଣ୍ଟାମାଳ ବ୍ଲକର ମାଓବାଦୀ ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ ପୋଷ୍ଟର ମାଧ୍ୟମରେ ସୂଚିତ କରାଯାଇଛି।
କେକେବିଏନ୍ ମାଓବାଦୀ ସଙ୍ଗଠନ ବୌଦ୍ଧ ଜିଲାରେ ନିଜର ସ୍ଥିତି ଜାହିର କରିଆସୁଛି। ଜିଲାର କଣ୍ଟାମାଳ ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସେମାନଙ୍କ ଗତିବିଧି ଦେଖିବାକୁ ମିଳୁଛି। ମାଓବାଦୀଙ୍କୁ ଦମନ କରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ଉପାୟ ଅବଲମ୍ୱନ କରାଯାଉଛି। ଏହି କ୍ରମରେ ମାଓବାଦୀ ସଙ୍ଗଠନର ଟପ୍ ନେତା ତଥା ବିଭିନ୍ନ କମିଟିର ସଦସ୍ୟ ଥିବା ୧୮ ମାଓବାଦୀଙ୍କୁ ଧରାଇଦେଲେ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କଣ୍ଟାମାଳ ଅଞ୍ଚଳରେ ପୋଷ୍ଟର ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ସୂଚନା ଦିଆଯାଇଛି। ଶନିବାର ଜିଲା ପୋଲିସ ପକ୍ଷରୁ ଘଣ୍ଟାପଡ଼ା ଥାନା ଅଧୀନ ଉମା, ସମାଡାଙ୍କି ଲଣ୍ଡନପଡା, ମାତାକୁପା ଓ କଣ୍ଟାମାଳ ଥାନା ଅଧୀନ ଲମ୍ୱସରୀ ଓ ନାରାୟଣପ୍ରସାଦ ଆଦି ଗ୍ରାମର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ଲଗାଯାଇଛି। ହାର୍ଡକୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ। ଯେଉଁ ବ୍ୟକ୍ତି ମାଓବାଦୀଙ୍କୁ ଧରାଇଦେବେ ତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବା ସହ ସୂଚନା ପ୍ରଦାନକାରୀଙ୍କ ନାମ ଗୋପନ ରଖାଯିବ। ଏଥିସହ ମାଓବାଦୀମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।
ଉଲ୍ଲେଖନୀୟ, ୧୭।୧୦।୨୦୨୫ରେ ମଧ୍ୟ ପୋଲିସ ପକ୍ଷରୁ ବୌଦ୍ଧ, କଣ୍ଟାମାଳ, ମନମୁଣ୍ଡା ଥାନା ଅଞ୍ଚଳର ସିଗାଡ଼ି, ଶଗଡ଼ା, ତିଲପଙ୍ଗା, ଭଡ଼ାମୁଣ୍ଡା, ମାତାଗାଡୁ, ଖଣ୍ଡିକନପା, ଲୁହାରପଡ଼ା, ନଳିକୁମ୍ପା, ନାରାୟଣ ପ୍ରସାଦ, ନୁରୁ, ଲାଦେନ ଆଦି ଗ୍ରାମର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ଏଥିରେ କେକେବିଏନ୍ ସଙ୍ଗଠନର ୧୦ ମାଓବାଦୀଙ୍କୁ ଧରାଇଦେଲେ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଥିଲା।