ଦାରିଙ୍ଗବାଡ଼ି,୨୬ ।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ ପଡିଆଠାରେ ବ୍ଲକ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏଥିରେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟି ଓ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ସ୍ବାଗତ କରି ମଞ୍ଚକୁ ଆଣାଯାଇଥିଲା। ସେଠାରେ ମୁଖ୍ୟ ଅତିଥି ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା ୩୩ଟି ଦଳକୁ ପରିଦର୍ଶନ କରିଥିଲେ। ପରେ ସେ ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ରୀଛାତ୍ର ଓ ଅଞ୍ଚଳବାସୀଙ୍କ ଉଦ୍ଧେଶ୍ୟରେ ବକ୍ତବ୍ୟ ରଖିଥିଲେ।
ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା, ଶୀତ ଓ ଗରମର ଅନିୟମିତତା ଦେଖାଯାଇଛି । ଏଥିପାଇଁ ସେ ପ୍ଲାଷ୍ଟିକ ଫ୍ରି ସହ ପରିବେଶର ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରିବା ନିହାତି ଜରୁରୀ ବୋଲି କହିବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ପ୍ରକାରେ ଆମେ ସମସ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ସମସ୍ତ ମହାପୁରୁଷଙ୍କୁ ମନେ ପକାଇ କହିଥିଲେ ଯେ, ଆମ ଦେଶକୁ ସ୍ବାଧୀନତା ଆଣିବା ପାଇଁ ଅନେକ ବୀରପୁରୁଷ ମହାପୁରୁଷ ବଳିଦାନ ଦେଇଛନ୍ତି ସେମାନଙ୍କୁ ଆମେ ଏହି ସମୟରେ ମନେ ପକାଇବା। ଦେଶକୁ ଶକ୍ତିଶାଳୀ କରିବା ପାଇଁ ସେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ପରେ ମୁଖ୍ୟ ଅତିଥି ଏମ୍ପି ସାମୁହିକ ଅଭିବାଦନ ଗ୍ରହଣ କରିଥିଲେ।
ଦାରିଙ୍ଗବାଡି ଅଞ୍ଚଳରେ ଚଳିତ ବର୍ଷ ୩ ଜଣ ଡାକ୍ତରୀ ପରୀକ୍ଷାରେ ଉର୍ତ୍ତିନ୍ନ ଛାତ୍ରୀଛାତ୍ର ଏବଂ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉର୍ତ୍ତିନ୍ନ ହୋଇଥିବା କୃତି ଛାତ୍ରୀଛାତ୍ର ଲୀନ୍ସା ପ୍ରଧାନ, କଳାକାର ପ୍ରଧାନ, ସନାତନ ପ୍ରଧାନ ଏବଂ ରୁନିତା ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା ସେହିପରି ବିଭିନ୍ନ ପ୍ରତିଯୋଗିତା, ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଓ ଦକ୍ଷତା ପାଇଥିବା ଛାତ୍ରୀଛାତ୍ର ଓ ଅନ୍ୟମାନଙ୍କୁ ଟ୍ରଫି, ମାନପାତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜାତୀୟ ଦିବସ ପାଳନ କମିଟିର ଆବାହକ ତଥା ତହସିଲଦାର ଶରତ ଶବର, ଆଇଆଇସି କନକ କୁମାର ମାଝୀ, ସରପଞ୍ଚ ଚନ୍ଦ୍ରିକା ମଲିକ ପ୍ରମୁଖ ମଞ୍ଚାସିନ ରହିଥିଲେ। କାର୍ଯ୍ୟକ୍ରମକୁ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ପତିତପାବନ ରାଉତ, ସହକାରୀ ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷେତୀଶ ପ୍ରିୟଦର୍ଶି ସାହୁ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରି ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷ ରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ମାନେ ଅଂଶ ଗ୍ରହଣ କରିଥିଲେ।