୭ଶହ ବର୍ଷର ପରମ୍ପରା ଭାଙ୍ଗିଲା: ୩ ରଥରେ ଛେରାପହରା କଲେନି ରାଜା

ରଣପୁର,୬ା୭(ସୁକାନ୍ତ କିଶୋର ଡାକୁଆ): ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ଼ ଜିଲା ରଣପୁର ବାହୁଡ଼ାଯାତ୍ରାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜପୁରୋହିତ ଓ ରାଜାଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ରାଜା ୩ରଥରେ ଛେରାପହଁରା ନ କରିବାରୁ ୭ଶହ ବର୍ଷର ପରମ୍ପରା ଭାଙ୍ଗିଛିା ଏଥିପାଇଁ ରଥଟଣାରେ ବିଳମ୍ବ ଘଟିଥିଲା। ତେବେ ସନ୍ଧ୍ୟା ପୂର୍ବରୁ କେବଳ ତାଳଧ୍ୱଜ ରଥ ଜଗନ୍ନାଥ ମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚତ୍ ଥିବା ବେଳେ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକି ରହିଛି। ଲକ୍ଷାଧିକ ଭକ୍ତ ବାହୁଡ଼ାଯାତ୍ରା ଦେଖିବା ସହିତ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ ଅପେକ୍ଷା କରିଥିଲେ। ହେଲେ ଏହି ବିବାଦ ଯୋଗୁ ନୀତିକାନ୍ତିରେ ଅଯଥା ବିଳମ୍ବ ଘଟିଥିଲା। ଏହାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀରେ ୩ ରଥରେ ଗଜପତି ମହାରାଜା ଛେରାପହଁରା କରନ୍ତି। ସେହିପରି ରଣପୁରରେ ୩ ରଥରେ ରଣପୁର ରାଜା ଦିଲୀପ ଚନ୍ଦ୍ର ସିଂହଦେଓ ଛେରାପହଁରା କରିଥାନ୍ତି। ଚଳିତ ବର୍ଷ ଘୋଷଯାତ୍ରାରେ ରାଜା ଛେରାପହଁରା କରିଥିଲେ। ହେଲେ ବାହୁଡ଼ା ରଥରେ ଛେରାପହଁରା କରିବାକୁ ରାଜା ମନା କରିଦେଇଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ରାଜା ରାଜବାଟୀରୁ ଆସି ନ ଥିଲେ।
ସୂଚନା ଅନୁଯାୟୀ, ଗତବର୍ଷ ଦଶହରାରେ ରାଜବାଟୀରେ ଥିବା ମନ୍ଦିରରେ ଜଣେ ବ୍ରାହ୍ମଣ ପୂଜା କରୁଥିଲେ। କୌଣସି କାରଣକୁ ନେଇ ରାଜା ଓ ସେହି ବ୍ରାହ୍ମଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାଜପୁରୋହିତ ବିଶ୍ୱନାଥ ଷଡ଼ଙ୍ଗୀ ଏହି କଥାକୁ ନେଇ ରାଜାଙ୍କୁ ପ୍ରଶ୍ନ କରିଥିଲେ। ତା’ପରେ ରାଜାଙ୍କ ସହିତ ରାଜ ପୁରୋହିତଙ୍କ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ରାଜବାଟୀକୁ ଆଉ ପୂଜା କରିବା ପାଇଁ ରାଜପୁରୋହିତ ଆସି ନ ଥିଲେ। ରାଜା ବାଧ୍ୟ୍ୟ ହୋଇ ଅନ୍ୟ ଏକ ଗ୍ରାମର ବ୍ରାହ୍ମଣଙ୍କୁ ରାଜବାଟୀରେ ପୂଜା କରିବାକୁ ନିୟୋଜିତ କରିଥିଲେ। ସେହି ବ୍ରାହ୍ମଣଙ୍କୁ ରାଜ ପୁରୋହିତ ସହିତ ଅନ୍ୟ ମନ୍ଦିର ପୂଜକମାନେ ବିରୋଧ କରିଥିଲେ। ଫଳରେ ରାଜବାଟୀକୁ ସେ ପୂଜା କରିବାକୁ ଆଉ ଯାଇ ନ ଥିଲେ। ଏହି ବିବାଦର ଯଦି ସମାଧାନ ନ ହୁଏ ତା’ହେଲେ ସେ ରଥ ଉପରେ ଛେରାପହଁରା କରିବେ ନାହିଁ ବୋଲି ଲିଖିତ ଭାବେ ନୟାଗଡ଼ ଜିଲାପାଳ ଓ ରଣପୁର ଦେବୋତ୍ତର ବିଭାଗକୁ ଜଣାଇଥିଲେ। ହେଲେ ଦେବୋତ୍ତର ବିଭାଗ ତରଫରୁ କୌଣସି ସହଯୋଗ ମିଳି ନ ଥିଲା। ଏହାକୁ ନେଇ ରାଜା ବାହୁଡ଼ା ରଥରେ ଛେରାପହଁରା କରିବାକୁ ରାଜା ଆସି ନ ଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ରାଜାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶେଷରେ ସ୍ଥାନୀୟ ପ୍ରଶାସନ ରାଜପୁରୋହିତ ବିଶ୍ୱନାଥ ଷଡ଼ଙ୍ଗୀଙ୍କୁ ଆଣି ତିନି ରଥରେ ଛେରାପହଁରା କରିବା ପରେ ସନ୍ଧ୍ୟା ୬ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ଏ ସଂକ୍ରାନ୍ତରେ ରଣପୁର ଯୁବରାଜ କୌଶକ ଚନ୍ଦ୍ର ସିଂହଦେଓ କୁହନ୍ତି, ପ୍ରତିବର୍ଷ ରଥଯାତ୍ରାରେ ଛେରାପହଁରା କାର୍ଯ୍ୟ ରାଜପରିବାର ତରଫରୁ କରାଯାଏ। ରାଜବାଟୀରେ ରାଜପୁରୋହିତ ଓ ଆମର ବିବାଦକୁ ଜିଲା ପ୍ରଶାସନ କି ସ୍ଥାନୀୟ ଦେବୋତ୍ତର ବିଭାଗ କିଛି ବୁଝିଲେ ନାହିଁ । ଚଳିତ ବର୍ଷ ମନ୍ଦିର ପ୍ରଶାସନ ବି ଆମକୁ ଅବହେଳିତ କରିଥିବାରୁ ଛେରାପହଁରା କରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ।
ଏହିସବୁ ବିବାଦ ପରେ ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ଶନିବାର ବାହାରିଥିବା ଶ୍ରୀଜୀଉଙ୍କ ତାଳଧ୍ୱଜ ରଥ ସିଂହଦ୍ୱାରରେ ପହଞ୍ଚତ୍ ଥିଲା। ରାତି ହୋଇଯିବାରୁ ଆଉ ରଥଟଣା ହେଇ ପାରି ନ ଥିଲା। ରବିବାର ମା’ସୁଭଦ୍ରାଙ୍କ ରଥ ରବିବାର ମହିଳାମାନେ ଟାଣିବା ପରେ ନନ୍ଦିଘୋଷ ରଥ ଟଣାଯାଇ ସିଂହଦ୍ୱାରରେ ଶ୍ରଦ୍ଧାଳୁମାନେ ପହଞ୍ଚାଇବେ। ଏହା ପରେ ବାଟରେ ଲକ୍ଷ୍ମୀ ନାରାୟଣ ଭେଟ କରାଯିବ। ଏକାଦଶୀ ତିଥିରେ ରବିବାର ୩ ରଥ ଉପରେ ଶ୍ରୀଜୀଉମାନଙ୍କ ରୁପାବେଶ ହେବ।

Share