ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ ସର୍ବନିମ୍ନ ୪.୩ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ସେହିପରି ସେମିଳିଗୁଡାରେ ୪.୫ ଡିଗ୍ରୀ, ଫୁଲବାଣୀ ୬.୫, କୋରାପୁଟ ୬.୭, ଦାରିଙ୍ଗବାଡି ୭, ଚିପିଲିମା ୭.୫, ଝାରସୁଗୁଡା ୮.୨, ଅନୁଗୋଳରେ ୯, ବୌଦ୍ଧ ୯.୪ ଏବଂ ରାଉରକେଲାରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୭ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେଣୁ ଆହୁରି ୭ଦିନ ପର୍ଯ୍ୟନ୍ତ ଏପରି ଥଣ୍ଡା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଆସନ୍ତା ଦୁଇଦିନ ଅର୍ଥାତ୍ ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ କନ୍ଧମାଳ ଜିଲାରେ ପ୍ରବଳ ଥଣ୍ଡା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, କୋରାପୁଟ, କନ୍ଧମାଳ ଏବଂ କଳାହାଣ୍ଡି ଜିଲାରେ ଘନ କୁହୁଡି ନେଇ ସତର୍କ କରାଯାଇଛି।