ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି ୪ଜଣ ସମିତିସଭ୍ୟ। ଏହାକୁ ନେଇ ଜିଲାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ସୂଚନାନୁଯାୟୀ, ରାୟଗଡ଼ା ବିଷମକଟକ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ବିଷମକଟକ ପଞ୍ଚାୟତସମିତିର ୭ ସମିତି ସଭ୍ୟ ଓ ୨ ସରପଞ୍ଚ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ସେମାନେ ଶନିବାର ଭୁବନେଶ୍ୱର ସ୍ଥିତ ଭାଜପା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦେଇଥିବା ନେଇ ଭାଜପା ପକ୍ଷରୁ ଫଟୋ ଓ ପ୍ରେସ ବିବୃତି ଛଡ଼ାଯାଇଥିଲା । ଭାଜପାରେ ଯୋଗଦେଇଥିବା ୭ ସମିତିସଭ୍ୟ ହେଲେ କାଙ୍କୁବା ପଞ୍ଚାୟତର ଅକ୍ଷୟ କୁମାର ହିକକା, ହାଟମୁନିଗୁ ଦୁର୍ଯ୍ୟଧନ ପିରିବାକା, ଡୁମୁରିନେଲିର ବୋଇଦ ଉର୍ଲ୍ଲାକା, ହଜାରି ସୁକାନ୍ତ ବେନିଆ, ଡାଲଆକୁଜିର କରୁଣାକର ସୁନା, ସାହା ଜୟନ୍ତି କଲକା ଏବଂ କୁର୍ଲିର ତେଲା ହୁଇକା। ହେଲେ ମଙ୍ଗଳବାର ସେହି ସମିତି ସଭ୍ୟମାନଙ୍କ ମଧ୍ୟରୁ ୪ଜଣ ପୁର୍ନବାର ନିଜର ପ୍ରାଥମିକ ଦଳ ବିଜେଡିକୁ ଫେରିଛନ୍ତି ।
ବିଜେଡି ଫେରିଥିବା ୪ଜଣ ସମିତିସଭ୍ୟ ହେଲେ ବୋଇଦ, ହଜାରି ସୁକାନ୍ତ, ସାହା ଜୟନ୍ତି ଏବଂ ତେଲା । ଜିଲା ବିଜେଡିର ଟାଣୁଆ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସଙ୍କ ଉପସ୍ଥିତିରେ ସମସ୍ତେ ବିଜେଡି ଫେରିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ପୃକ୍ତ ସମିତି ସଭ୍ୟମାନେ ସୂଚନା ଦେଇଛନ୍ତି ।
ଏପରିକି ବିଷମକଟକ ନିର୍ବାଚନମଣ୍ଡଳୀର କଂଗ୍ରେସର ଟାଣୁଆ ନେତା ଦିଲୀପ ପଟ୍ଟନାୟକଙ୍କ ଇଙ୍ଗିତରେ ସେମାନେ ଭୁବନେଶ୍ୱର ଯାଇ ଭାଜପାରେ ମିଶିଥିବା ଏବଂ ଦିଲୀପଙ୍କୁ ସେଠାରେ ନ ଦେଖିବା ପରେ ପୁଣି ଥରେ ବିଜେଡି ଫେରିଥିବା ପ୍ରକାଶ କରିଛନ୍ତି। ତେବେ ବିଷମକଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥି ନୀଳମାଧବ ହିକକାଙ୍କୁ ଜିତାପଟ ପିନ୍ଧାଇଥିବା ଦିଲୀପ କ’ଣ ସତରେ ଭାଜପା ସହିତ ଜଡିତ ଅଛନ୍ତି କି ବୋଲି ପ୍ରଶ୍ନ ଉଠିଛି
ଏନେଇ ଦିଲୀପଙ୍କୁ ପଚାରିବାରୁ ସେ କାହାକୁ ଭାଜପାରେ ଯୋଗଦେବା ପାଇଁ କହିନାହାନ୍ତି କିନ୍ତୁ ପୂର୍ବରୁ ସେମାନେ ପଞ୍ଚାୟତସମିତିରେ ସୁଧୀର ଦାସ ସେମାନଙ୍କୁ ଅଣଦେଖା କରି ରଖିଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ସେମାନେ ପୁଣି ଥରେ ନିଶ୍ଚୟ ଅଭିଯୋଗ କରିବାକୁ ଆସିବେ ବୋଲି ଦିଲୀପ କହିଛନ୍ତି ।
ଏଭଳିକି ହଜାରି ସମିତିସଭ୍ୟ ସୁକାନ୍ତ ବେନିଆ ମଣ୍ଡିରେ ଧାନ ଉଠୁ ନ ଥିବା ନେଇ ଦିଲୀପଙ୍କ ନିକଟରେ ଫେରାଦ ହୋଇଥିବାରୁ ସେ ଧାନ ମଣ୍ଡିରେ ଧାନ ଉଠିବା ନେଇ ସହଯୋଗ କରିଥିଲେ । ସେହିଭଳି କୁର୍ଲିର ତେଲା ହୁଇକା ସମିତିସଭ୍ୟା ରହିଥିଲେ ହେଁ ତାଙ୍କୁ ପଂଚାୟତସମିତିରେ ନିଜ ଅଞ୍ଚଳର ବିକାଶ ପାଇଁ ଯୋଜନା କାର୍ଯ୍ୟକାରୀ କରିବାକୁ ଦିଆଯାଉ ନ ଥିଲା ଏବଂ ଏନେଇ ସେ ଦିଲୀପଙ୍କ ନିକଟରେ ଜଣାଇବା ପରେ ଦିଲୀପ ବ୍ଲକର ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ତେଲା ସହଯୋଗ କରିବାକୁ କହିଥିବା ପ୍ରକାଶ କରିଛନ୍ତି ଦିଲୀପ ।
Dharitri – Odisha’s No.1 Odia Daily