ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶୀ ଫେରନ୍ତା କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନୋମ ସିକ୍ୱେନ୍ସିଂ ହୋଇଥିଲା। ସେମାନେ ‘ଓମିକ୍ରନ୍’ ପୀଡ଼ିତ ନ ଥିବା ଜଣାପଡ଼ିଛି। ଆଉ ୩ ଜଣଙ୍କ ନମୁନା ସିକ୍ୱେନ୍ସିଂ ପାଇଁ ପଠାଯାଇଛି ବୋଲି ରବିବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟାନ ଉପରେ ଆଧାରିତ। ଆଇଆଇଟି ମଡେଲ ଅନୁସାରେ, ରୋଗ ପ୍ରତିରୋଧକ ଶକ୍ତି ଯଦି ପର୍ଯ୍ୟାପ୍ତ ପରିମାଣର ନ ଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିବାର ସମ୍ଭାବନା ରହିଛି। ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ। କିନ୍ତୁ କରୋନା ସଂକ୍ରମଣକୁ ପୁରା ଶୁନ କରିପାରିବା ନାହିଁ। ତୁରନ୍ତ ଚିହ୍ନଟ କରି ପ୍ରତିକାର କରାଯିବ ତେବେ ଆକ୍ରାନ୍ତଙ୍କ ସଂଖ୍ୟା କମିପାରିବ। ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


