ପେନ୍‌ସନ୍‌, ଚାକିରି ସର୍ତ୍ତାବଳୀ ଦାବିରେ ଗର୍ଜିଲା ୬୬୨ ବର୍ଗ କଲେଜ ସଂଘ

ବରଗଡ଼,୬ା୮(ପ୍ରେମାନନ୍ଦ ଖମାରୀ): ପେନ୍‌ସନ୍‌ ଓ ଚାକିରି ସର୍ତ୍ତାବଳୀ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ୬୬୨ ବର୍ଗ କଲେଜ ସଂଘ। ବରଗଡ଼ ଜିଲା ୬୬୨ ବର୍ଗ ଅନ୍ତର୍ଗତ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟାପକ ଓ କର୍ମଚାରୀମାନେ ବୁଧବାର ସ୍ଥାନୀୟ ବରଗଡ଼ ଗାନ୍ଧୀଛକ ନିକଟରୁ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ। ଏହାପରେ ପେନ୍‌ସନ୍‌ ଓ ଚାକିରି ସର୍ତ୍ତାବଳୀ ସମ୍ବଳିତ ଦାବିପତ୍ରକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଜିଲା ସଂଘର ସଭାପତି ଅଶୋକ କୁମାର ବେହେରା, ଉପସଭାପତି ଗୋପାଳକୃଷ୍ଣ ମିଶ୍ର, ସମ୍ପାଦକ ସୁଶାନ୍ତ ମିଶ୍ର, ସହ ସମ୍ପାଦକ ଜଗଦୀଶ ଦେବତା, କୋଷାଧ୍ୟକ୍ଷ ସୁରେଶ ପରିଡ଼ା, ଅଧ୍ୟାପକ ବିଜୟ ମିଶ୍ର, ତାରିଣୀ ଦେବତା, ପ୍ରଶାନ୍ତ ପଣ୍ଡା, ସରୋଜ ଦେବତା, ନମିତା ବିଶି, ରାଜଶ୍ରୀ ମିଶ୍ରଙ୍କ ସମେତ ଅନେକ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ପ୍ରମୁଖ ଉପସ୍ଥିତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ଏହି ବର୍ଗର କଲେଜଗୁଡ଼ିକ ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାର ପ୍ରାୟ ୭୦ଭାଗ ଦାୟିତ୍ୱ ବହନ କରୁଛନ୍ତି। ସରକାର ସବୁବେଳେ ଏମାନଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହେଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଘର କର୍ମକର୍ତ୍ତାମାନେ କହିଛନ୍ତି, ୩୦ ବର୍ଷ ପୂର୍ବରୁ ସ୍ଥାପିତ ହୋଇ ଆସିଥିବା ଏହି ମହାବିଦ୍ୟାଳୟ ଗୁଡିକ
ପର୍ଯ୍ୟାୟକ୍ରମେ ଅନୁଦାନ ପରିସରଭୁକ୍ତ ହୋଇଥିଲେ ମଧ୍ୟ ଏହି ବର୍ଗର କର୍ମଚାରୀଙ୍କୁ ସରକାର ଏପର୍ଯ୍ୟନ୍ତ ଚାକିରି ସର୍ତ୍ତାବଳୀ ଦେଇନାହାନ୍ତି କି ପେନସନ ପରିସରଭୁକ୍ତ କରି ନାହାନ୍ତି। ଫଳରେ ଅଧ୍ୟାପକ ଓ କର୍ମଚାରୀମାନେ
ଖାଲି ହାତରେ ଅବସର ନେଉଛନ୍ତ। ପେନ୍‌ସନ୍‌, ଗ୍ରାଚ୍ୟୁଇଟି କିମ୍ବା କୌଣସି ଅବସରକାଳୀନ ସୁବିଧାରୁ ବଞ୍ଚିତ ଏହି କର୍ମଚାରୀମାନେ ଅବସର ପରେ ମାତ୍ରାଧିକ ଯନ୍ତ୍ରଣା ଭୋଗ କରୁଛନ୍ତି। ଏନେଇ ସରକାରଙ୍କ ନିକଟରେ
ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ।

ରାଜ୍ୟରେ ନୂଆ ସରକାର ଆସିବାର ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ନୂତନ ପେନ୍‌ସନ୍‌ ନୀତି ଘୋଷଣା କରି ନାହାନ୍ତି। ନୂତନ ସରକାରଙ୍କୁ ସମ୍ମାନ ଜଣାଇ ସଂଘ ଏକବର୍ଷ ହେଲା ଆନ୍ଦୋଳନକୁ ସ୍ଥଗିତ ରଖି ସରକାରଙ୍କ ସହ ଆଲୋଚନା ପାଇଁ ପ୍ରୟାସ କରିଥିଲା। କିନ୍ତୁ ଏହାଦ୍ୱାରା କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିଲା ନାହିଁ । ଏହାର ପ୍ରତିବାଦରେ ବାଧ୍ୟ ହୋଇ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ସରକାର ସଂଘ ସହିତ ଆଲୋଚନା କରି ସମାଧାନର ବାଟ ବାହାର ନ କରନ୍ତି ତା’ହେଲେ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ସମାବେଶ କରାଯିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।

Share