ନୂଆଦିଲ୍ଲୀ, ୧୪ା୧: ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ସହ ଗୁଳି ବିନିମୟରେ ଗତବର୍ଷ ମୃତ୍ୟୁବରଣ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ହେଉଛନ୍ତି ପାକିସ୍ତାନୀ। ଭାରତର ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୋମବାର ଏହି ସୂଚନା ଦେଇଛନ୍ତି। ସେନା ଦିବସର ଠିକ୍ ପୂର୍ବରୁ ଜେନେରାଲ ଦ୍ୱିବେଦୀ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଜମ୍ମୁ-କଶ୍ମୀରରେ ହିଂସାକୁ ବଢ଼ାଇବାରେ ପାକିସ୍ତାନର ସକ୍ରିୟ ଭୂମିକା ରହିଛି। ସମ୍ପ୍ରତି ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୮୦% ପାକିସ୍ତାନୀ ବୋଲି ସେ କହିଛନ୍ତି। ସେହିପରି ଗତବର୍ଷ ଜମ୍ମୁ-କଶ୍ମୀରର ସୁରକ୍ଷା ପାଇଁ ୧୫ ହଜାରରୁ ଅଧିକ ସୈନ୍ୟଙ୍କୁ ନିୟୋଜିତ କରାଯାଇଥିଲା, ଯାହାର ମହତ୍ୱପୂର୍ଣ୍ଣ ଯୋଗଦାନ ଅଞ୍ଚଳରେ ଚାଲିଥିବା ଆତଙ୍କବାଦ ବିରୋଧ ଗତିବିଧିରେ ରହିଥିଲା। ଅନ୍ୟପକ୍ଷରେ ଲାଦାଖରେ ଚାଇନା ସହ ଲାଗି ରହିଥିବା ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ(ଏଲ୍ଏସି) ବିବାଦକୁ ନେଇ ଜେନେରାଲ ଦ୍ୱିବେଦୀ କହିଛନ୍ତି, ଏଲ୍ଏସିର ପରିସ୍ଥିତି ସମ୍ବେଦନଶୀଳ ହୋଇଥିବାବେଳେ ବର୍ତ୍ତମାନ ଏହା ସ୍ଥିର ରହିଛି। ଉକ୍ତ ଅଞ୍ଚଳରେ ବିବାଦକୁ ଦୂର କରିବା ପାଇଁ ପ୍ରୟାସ କରାଯାଉଛି।

