ବିନା ଟିକେଟ୍‌ରେ ଯାତ୍ରା କରୁଥିଲେ ୫୯ ଜଣ, ଧରା ପଡ଼ିବା ପରେ ୧୭୨୨୫ ଟଙ୍କା ହେଲା ଆଦାୟ

ନିରାକାରପୁର,୧୯ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ବିନା ଟିକେଟ୍‌ରେ ଟ୍ରେନରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ସଚେତନ କରିବା ସହ ଷ୍ଟେଶନରେ ବାଣିଜ୍ୟ ଅଭିବୃଦ୍ଧି ନିମନ୍ତେ ବୁଧବାର ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଷ୍ଟେଶନରେ ଟିକେଟ ଯାଞ୍ଚ ଆରମ୍ଭ ହୋଇଥିଲା। ଖୋର୍ଦ୍ଧା ରେଳ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ-୨ଙ୍କ ନିର୍ଦ୍ଦେଶରେ ବୁଧବାର ନିରାକାରପୁର ଷ୍ଟେଶନରେ ଟିକେଟ ଯାଞ୍ଚ କାର୍ଯ୍ୟ କରାଯାଇଥିଲା। ଯାଞ୍ଚ ବେଳେ ୫୯ଜଣ ବିନା ଟିକେଟଧାରୀଠାରୁ ମୋଟ୍‌ ୧୭ହଜାର ୨୨୫ଟଙ୍କା ଜରିମାନା ଆଦାୟ ହୋଇଥିବା ଖୋର୍ଦ୍ଧା ରେଳ ମଣ୍ଡଳର ସିଟିଆଇ ସୁବାସ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। ଏହି ଯାଞ୍ଚ କାର୍ଯ୍ୟରେ ୯ଜଣ ବିଭାଗୀୟ କର୍ମଚାରୀ ଓ ୪ଜଣ ରେଳ ସୁରକ୍ଷା ବଳ ସହଯୋଗ କରିଥିଲେ। ଏହି ଚଢ଼ାଉ ଯୋଗୁ ଆଜି ମଧ୍ୟାହ୍ନ ୨ଟା ସୁଦ୍ଧା ପାସେଞ୍ଜର (ଜିଏନ୍‌ଆର୍‌)ବିଭାଗର ୧୯ ହଜାର ୫୧ ଟଙ୍କା ଓ ରିଜରଭେସନ (ପିଆର୍‌ଏସ୍‌) ୩୦ ହଜାର ୩୧୫ ଟଙ୍କାର ଟିକେଟ ବିକ୍ରି ହୋଇଥିବା ଜଣାପଡ଼ିଛି। ତେବେ ଆଜି ଷ୍ଟେଶନରେ ଯାଞ୍ଚ କାର୍ଯ୍ୟ ଯୋଗୁ ପ୍ରାୟ ୩୦ ପ୍ରତିଶତ ଟିକେଟ୍‌ ଅଧିକ ବିକ୍ରି ହୋଇଥିବା ସ୍ଥାନୀୟ ବିଭାଗୀୟ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି।