ପୁରୁଷୋତ୍ତମପୁର, ୧୯।୧୦ (ସବିତା ମିଶ୍ର): ଦୀର୍ଘ ୫୨ ବର୍ଷର ପରମ୍ପରା, ଅଗାଢ଼ ଭକ୍ତି ଓ ଆଧ୍ୟାତ୍ମିକ ଉତ୍ସାହରେ ମୁଖରିତ ହୋଇଉଠିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମା ଗ୍ରାମ। ମା’ ଦୁର୍ଗାଙ୍କ ପୂଜାକୁ ନେଇ ଗାଁରେ ଉତ୍ସବର ମାହୋଲ ଲାଗିରହିଛି। ବେଦମନ୍ତ୍ରର ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ, ଆଉ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଗ୍ରାମ ସହ ପୂଜାମଣ୍ଡପ। ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବାବେଳେ ସନ୍ଧ୍ୟା ଆଳତି ଦର୍ଶନ ପାଇଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।
ଦୀର୍ଘ ୫୨ ବର୍ଷ ଧରି ଚାଲିଆସୁଥିବା ଏହି ଦୁର୍ଗାପୂଜା ପରମ୍ପରା ସମା ଗ୍ରାମବାସୀଙ୍କ ଏକତା, ସହଯୋଗ ଓ ଧାର୍ମିକ ଭାବନାର ପ୍ରତୀକ ପାଲଟିଛି। ଗ୍ରାମବାସୀଙ୍କ ସାମୂହିକ ସହଯୋଗରେ ପୂଜାର ଆୟୋଜନ ଓ ପରିଚାଳନା କରାଯାଉଛି। ପରମ୍ପରା ଓ ଭକ୍ତିର ଏହି ଧାରା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି।
Dharitri – Odisha’s No.1 Odia Daily

