
ଦାରିଙ୍ଗବାଡ଼ି,୧୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ତୁଡ଼ି ବିଜୁ ଗ୍ରାମରେ ମଦ ବିରୋଧ କରୁଥିବା ମହିଳାଙ୍କୁ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କ ଆକ୍ରମଣରେ ୨ ମହିଳା ଗୁରୁତର ହୋଇଛନ୍ତି। ଏନେଇ ଆନ୍ଦୋଳନ କରୁଥିବା ଶତାଧିକ ମହିଳା ବୁଧବାର ବ୍ରାହ୍ମଣୀଗାଁ ଥାନାକୁ ଘେରି ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ପରେ ପୋଲିସ ଲୋକଙ୍କୁ ବୁଝାଶୁଝା କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ପରେ ଉତ୍ତ୍ୟକ୍ତ ଲୋକ ଗାଁକୁ ଫେରିଥିଲେ।
ପ୍ରକାଶ ଯେ, ତୁଡ଼ିବିଜୁ ଗ୍ରାମରେ କିଛି ଲୋକ ଚୋରାମଦ କାରବାର ରୀତିମତ ଭାବେ କରୁଥିବା ବେଳେ ଗାଁରେ ଯୁବପିଢ଼ି ଓ ପୁରୁଷ ଲୋକମାନେ ଚୋରାମଦ ପିଇକି ଗାଁରେ ଶୃଙ୍ଖଳା ଭଙ୍ଗ ହେଉଥିଲା ଏନେଇ ଗାଁ ରେ ବୈଠକ କରାଯାଇ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କୁ ଏହା ନ କରିବାକୁ ପରାମର୍ଶ ଦିଆଯିବା ସହ ଗୋଟିଏ ସପ୍ତାହ ମଧ୍ୟରେ ମଦ ବ୍ୟବସାୟ ବନ୍ଦ କରିବୁ ବୋଲି ବ୍ୟବସାୟୀମାନେ ନିଜ ଆଡୁ ରାଜି ହୋଇଥିଲେ କିନ୍ତୁ ପୂର୍ବଭଳି ମଦ ରନ୍ଧା ଓ ବ୍ୟବସାୟ ଜାରି ରଖିଥିବାରୁ ୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଚୋରାମଦ କାରବାର କରୁଥିବା ବିପ୍ର ମଲିକଙ୍କ ଘରେ ରବିବାର ସନ୍ଧ୍ୟାରେ ପହଞ୍ଚି ମଦ ଭାଟି ଓ ମହୁଲ ପୋଚକୁ ନଷ୍ଟ କରିଥିଲେ ଏହି ସମୟରେ ମଦ ବ୍ୟବସାୟୀ ବିପ୍ର ଏବଂ ତାଙ୍କ ସ୍ତ୍ରୀ ସଂଗୀତା ଦୁହେଁ ମଦ ବିରୋଧୀ ଆନ୍ଦୋଳନ କରିଥିବା ମହିଳାଙ୍କୁ ଢେଲା ମାଡ଼ କରିଥିଲେ। ଏଥିରେ ମହିଳାଙ୍କ ମଧ୍ୟରେ ମମତା ଦେଶମାଝୀ ଏବଂ ପରବାସୀ ମଲିକ ଗୁରୁତର ହୋଇଥିଲେ। ମହିଳାମାନେ ବ୍ରାହ୍ମଣୀଗାଁ ଥାନାରେ ମୌଖିକ ଅଭିଯୋଗ କରିଥିଲେ ତେବେ ପୋଲିସ ତାଙ୍କୁ ଗିରଫ କରୁ ନ ଥିବା ଅଭିଯୋଗରେ ବୁଧବାର ଉକ୍ତ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ବ୍ରାହ୍ମଣୀଗାଁ ଥାନା ଘେରିଥିଲେ। ଥାନାରେ ଉପନିରୀକ୍ଷକ ଅମରେନ୍ଦ୍ର ସୁବୁଦ୍ଧି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଉକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୋଟିସ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ଲୋକଙ୍କୁ କହିଥିଲେ। ପରେ ସେଠାରୁ ଉତ୍ତ୍ୟକ୍ତ ଲୋକ ନିଜ ଘରକୁ ଫେରିଥିଲେ। ପୋଲିସ ଏନେଇ ଏକ ମାମଲା( ୬୧/୨୫))ରୁଜୁ କରି ଅଧିକ ତଦନ୍ତ କରୁଛି।