ନଜରରେ ୫ ରାଜ୍ୟ ଫେରନ୍ତା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆଶଙ୍କାକୁ ନେଇ ପୁଣି କଟକଣା ଜାରି ହୋଇଛି। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତାଙ୍କ ପାଇଁ କଡ଼ା କଟକଣା ଲାଗୁ କରାଯାଇଥିଲା। ଶନିବାର ଏଥିରେ ସାମାନ୍ୟ ବଦଳାଯାଇଛି। ଏଣିକି ୧୧ ରାଜ୍ୟ ଓ ଚଣ୍ଡିଗଡ଼ ନୁହେଁ, କେବଳ ୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର ରହିବ। ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଆସୁଥିବା ଲୋକଙ୍କ ଉପରେ ଓଡ଼ିଶା ସରକାର କଡ଼ା କଟକଣା ଲଗାଇଛନ୍ତି। ଏହି ରାଜ୍ୟଗୁଡ଼ିକରେ ଦ୍ରୁତ ସଂକ୍ରମଣକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ଏପରି ନିଷ୍ପତ୍ତି ନେବା ସହ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଜାରି କରିଛି। ଏସବୁ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ବିମାନବନ୍ଦର ଓ ରେଳ ଷ୍ଟେଶନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ରେ କରୋନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ୭ଦିନିଆ ହୋମ୍‌ ଆଇସୋଲେଶନକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ବୋର୍ଡିଂର ୭୨ ଘଣ୍ଟା ମଧ୍ୟରେ ଆର୍‌ଟିପିସିଆର୍‌ ରିପୋର୍ଟ ନେଗେଟିଭ୍‌ ଥିଲେ ପୃଥକବାସ ଜରୁରୀ ନୁହେଁ ବୋଲି କୁହାଯାଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାଜ୍ୟ ସରକାର ୧୧ ରାଜ୍ୟ ଓ ଚଣ୍ଡିଗଡ଼ ଫେରନ୍ତାଙ୍କ ପାଇଁ ୭ଦିନିଆ ହୋମ୍‌ ଆଇସୋଲେଶନ ବାଧ୍ୟତାମୂଳକ କରିଥିଲେ। ଏହି ସମସ୍ତ ସ୍ଥାନରୁ ଫେରୁଥିବା ଯାତ୍ରୀଙ୍କର ରେଳଷ୍ଟେଶନ ଓ ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲକ୍ଷଣ ଥିବା ଯାତ୍ରୀଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଥିଲା। ଆଇସୋଲେଶନ ଗାଇଡ୍‌ଲାଇନ୍‌ରେ କିଛିଟା ପରିବର୍ତ୍ତନ ଅଣାଯାଇଥିବାବେଳେ ନିର୍ଦ୍ଦେଶ ଅନୁସାରେ ଶନିବାରଠାରୁ ରେଳ ଷ୍ଟେଶନରେ ସ୍କ୍ରିନିଂ ଓ ଟେଷ୍ଟିଂ ଆରମ୍ଭ ହୋଇଛି।