କୁନ୍ଦୁରା, ୨୯।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଖଟଲାପଦର କୋଲାବ ବ୍ରିଜ ନିକଟରୁ ବ୍ୟବସାୟୀଙ୍କଠାରୁ ବୁଧବାର ଅପରାହ୍ନରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବ୍ୟବସାୟୀମାନଙ୍କଠାରୁ ୫ଲକ୍ଷ ଟଙ୍କା ଓ ଫୋନ୍ ଆଦି ଚୋରି କରି ନେଇଥିବା କୁନ୍ଦୁରା ଥାନାରେ ଅଭିଯୋଗ ହୋଇଛି। କୁନ୍ଦୁରା ପୋଲିସ କେସ୍ ନଂ.୧୩୪/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
କୁନ୍ଦୁରା ପୋଲିସ ସୂଚନା ମୁତାବକ ଅପରାହ୍ନ ୩ଟା କୋଟପାଡ଼ର ୫ଜଣ ବ୍ୟବସାୟୀ ଦେବାଶିଷ ପଟ୍ଟନାୟକ, ସାହିଲ, ଶ୍ୟାମ, ସୁଦାମ ଏବଂ ଅନିକେତ ଟଙ୍କା କଲେକ୍ସନ କରି କାର୍ (ସିଜି-୦୪ଏନ୍ଟି-୬୦୭୪) ରେ ଫେରୁଥିଲେ। ଏହି ସମୟରେ ପ୍ରାୟ ୮ ଜଣ ଲୁଟେରା ଖଟଲାପଦର କୋଲାବ ବ୍ରିଜ ଉପରେ ସେମାନଙ୍କୁ ଅଟକାଇ ଥିଲେ। ବ୍ୟବସାୟୀମାନେ କାର୍ ଡୋର୍ ନ ଖୋଲିବାରୁ ଦୁର୍ବୃତ୍ତମାନେ ଗାଡ଼ି କାଚ ଭାଙ୍ଗି ଦେଇଥିଲେ। ସାମ୍ନା ଡୋର, ମୁଖ୍ୟ କାଚ ଏବଂ ପଛପଟ କାଚ ଭାଙ୍ଗି ଗାଡ଼ି ଭିତରେ ଥିବା ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଥିସହ ବ୍ୟବସାୟୀମାନଙ୍କ ପାଖରେ ଥିବା ୪ଟି ମୋବାଇଲ ଫୋନ୍ ନେଇ ଯାଇଛନ୍ତି। ଏହାପରେ ବ୍ୟବସାୟୀ ଦେବାଶିଷ କୁନ୍ଦୁରା ଥାନାରେ ଏ ନେଇ ଏତଲା ଦେଇଛନ୍ତି। ପୋଲିସ ବ୍ୟବସାୟୀଙ୍କ କାର୍କୁ ଥାନାରେ ରଖି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ଅଶ୍ୱିନୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପ୍ରକାଶ ଯେ ପ୍ରତି ବୁଧବାର ଏହି ବ୍ୟବସାୟୀମାନେ କୁନ୍ଦୁରା ଅଞ୍ଚଳରେ ନିଜ ବ୍ୟବସାୟ ଟଙ୍କା ଆଦାୟ କରୁଥିବା ବେଳେ ଆଜି ଲୁଟ୍ର ଶିକାର ହୋଇଛନ୍ତି। ଉକ୍ତ ବ୍ୟବସାୟୀମାନଙ୍କ ସହ ୨୦୧୪-୧୫ରେ ସମାନ ପ୍ରକାରର ଲୁଟ୍ ହୋଇଥିଲା। ଗାଡ଼ିରେ ବସିଥିବା ୫ ଜଣ ବ୍ୟବସାୟୀଙ୍କଠାରୁ ୪ ଟି ମୋବାଇଲ ଦୁର୍ବୃତ୍ତମାନେ ନେଇଯାଇଥିବାବେଳେ ଜଣେ ବ୍ୟବସାୟୀଙ୍କ ନିକଟରେ ଥିବା ଏକ ଆଇ ଫୋନ ନେଇ ନ ଥିବା ସମସ୍ତଙ୍କୁ ସନ୍ଦେହ ଘେରକୁ ନେଇଛି। ସେହିଭଳି ଜିଏସଟି ଫାଙ୍କିବା ନେଇ ଏହା ଏକ ପ୍ରମୁଖ ଉପାୟ ବୋଲି ଲୋକେ ଟୁପୁରୁଟାପୁରୁ ହେଉଛନ୍ତି।
Dharitri – Odisha’s No.1 Odia Daily