ଏନ୍‌ଏଚ୍‌ଏମ୍‌ ପୋର୍ଟାଲ ହ୍ୟାକ୍‌ କରି ୫.୧ କୋଟି ଠକେଇ ମାମଲା: ରାଉରକେଲାରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୭।୧(ବ୍ୟୁରୋ): ସୋନପୁର ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପୋର୍ଟାଲ ହ୍ୟାକ୍‌ କରି ଇ-ଚେକ୍‌ ଜରିଆରେ ୫.୧ କୋଟି ଠକେଇ ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା( ଇଓଡବ୍ଲ୍ୟୁ) ଗିରଫ କରିଛି। ସେ ହେଲେ ରାଉରକେଲାର ବିକାଶ କୁମାର ମାନସିଂ। ତାଙ୍କୁ ମଙ୍ଗଳବାର ସୋନପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ରାଜକିଶୋର ନାୟକ, ଅନନ୍ତ ଚରଣ ପ୍ରଧାନ, ଅବିନାଶ ପ୍ରଧାନ ଓ ସମୀର କୁମାର ପତିଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଏଯାବତ୍‌ ଅଭିଯୁକ୍ତଙ୍କଠାରୁ ୩ କୋଟି ୩୦ ଲକ୍ଷ ଟଙ୍କା ଜବତ ହୋଇଛି। ଏଥିରେ ଆଉ କେତେଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ଇଓଡବ୍ଲ୍ୟୁ ଅଧିକ ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ବିକାଶ ଜଣେ ବ୍ୟବସାୟୀ ହୋଇଥିବା ବେଳେ ଏମ୍‌/ଏସ୍‌ ନାଚୁରାଲ୍ସ ନାମକ ସଂସ୍ଥାର ସେ ମାଲିକ। ଅନ୍ୟତମ ଅଭିଯୁକ୍ତ ସମୀର ଉକ୍ତ ସଂସ୍ଥାର କର୍ମଚାରୀ ଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତ ରାଜକିଶୋର ୨୦୧୬ରୁ ୨୦୨୦ ମସିହା ପର୍ଯ୍ୟନ୍ତ ସୋନପୁର ଏନ୍‌ଏଚ୍‌ଏମ୍‌ରେ ଅସ୍ଥାୟୀ ଭିତ୍ତିରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ୨୦୨୧ ଡିସେମ୍ବରରୁ କଟକ ଓଲଟପୁରର ସ୍ବାମୀ ବିବେକାନନ୍ଦ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରିହାବିଲିଟେଶନ ଟ୍ରେନିଂ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟରରେ ଚାକିରି କରିଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ଅନନ୍ତ ଓ ଅବିନାଶ ହେଉଛନ୍ତି ରାଜକିଶୋରଙ୍କ ସମ୍ପର୍କୀୟ। ୨୦୨୧ ମାର୍ଚ୍ଚରେ ବିକାଶଙ୍କ ବୁଦ୍ଧିରେ ଅଭିଯୁକ୍ତମାନେ ନୂଆ କୌଶଳରେ ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲେ। ରାଜକିଶୋର ଏନ୍‌ଏଚ୍‌ଏମ୍‌ ପୋର୍ଟାଲ ଓ ଅଫିସ୍‌ର କିଛି ଗୁପ୍ତ ତଥ୍ୟ ଜାଣିଥିଲେ। ଏହାଦ୍ୱାରା ସେମାନେ ଏନ୍‌ଏଚ୍‌ଏମ୍‌ ପୋର୍ଟାଲକୁ ହ୍ୟାକ୍‌ କରି ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କାର ଏକ ଇ-ଚେକ୍‌ କରିଥିଲେ। ଏହାପରେ ଅଭିଯୁକ୍ତମାନେ ସୋନପୁର ସିଡିଏମ୍‌ଓ ଏବଂ ଏଡିଏମ୍‌ଓଙ୍କ ନକଲି ଷ୍ଟାମ୍ପ ତିଆରି କରି ତାହାକୁ ସୋନ୍‌ପୁର ଏସ୍‌ବିଆଇ ଶାଖାରେ କ୍ଲିୟରାନ୍ସ କରିଥିଲେ। ଏପ୍ରିଲ ୭ରେ ଏମ୍‌/ଏସ୍‌ ନାଚୁରାଲ୍ସ ନାମରେ ଥିବା ଆକାଉଣ୍ଟକୁ ଉକ୍ତ ଟଙ୍କା ଟ୍ରାନ୍ସଫର ହୋଇଥିଲା। ଏମ୍‌/ଏସ୍‌ ନାଚୁରାଲ୍ସ ଆକାଉଣ୍ଟରୁ ଅଭିଯୁକ୍ତମାନେ ପର୍ଯ୍ୟାୟକ୍ରମେ ଟଙ୍କା ଉଠାଇ ନେଇଥିଲେ। ତେବେ ଠକେଇ ବିଷୟରେ ଜଣାପଡିବା ପରେ ସୋନପୁର ସିଡିଏମ୍‌ଓ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମେ ୧ରେ ଏକ ମାମଲା (ନଂ-୮/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।