ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ ଓ ଗ୍ରାମବାସୀ ମୁଁହାମୁଁହି ହୋଇଥିଲେ। ଯାହାକୁ ନେଇ ବହଳଦା ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ସହ ଓଲଟାଇ ଦେଇଥିଲେ। ଏହି ଘଟଣାରେ ୩୪ଜଣ ଆଦିବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ସମସ୍ତ ୩୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦାବି କରି ମୟୁରଭଞ୍ଜ ଆଦିବାସୀ ଏକତା ମଞ୍ଚ ୪୮ଘଣ୍ଟିଆ ବାମନଘାଟି ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଶୁକ୍ରବାର ସକାଳ ୬ରୁ ରବିବାର ସକାଳ ୬ ପର୍ଯ୍ୟନ୍ତ ବନ୍ଦ ଡାକରାର ପ୍ରଭାବ ପଡିଛି। ସକାଳୁ କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ସଫଳ କରିଛନ୍ତି। ରାଇରଙ୍ଗପୁର ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରାଯିବା ଫଳରେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି।
ସେପଟେ ରାଜପଥ ବନ୍ଦ ଯୋଗୁ ରାଇରଙ୍ଗପୁରରୁ ବାରିପଦାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଟ୍ରକ, ବସ, ଚାରି ଚକିଆ ଯାନ, ତିନି ଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବସ ବନ୍ଦ ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଉପଖଣ୍ଡର ସମସ୍ତ ଦୋକାନ ବଜାର ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜ ସମ୍ପୁର୍ଣ୍ଣ ବନ୍ଦ ରହିଛି। ଆଦିବାସୀ ସଂଗଠନ ଗୁଡ଼ିକ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଉଛନ୍ତି। ତେବେ ଏହି ବନ୍ଦକୁ ବିଜେଡି, ଜେଏମଏମ, କଂଗ୍ରେସ, ଆସେକା, ମାସା ଆର୍ମୀ, ଭଞ୍ଜ ଖେରୱାଳ ଜୁମିଦ ସମେତ ଅନ୍ୟାନ୍ୟ ଆଦିବାସୀ ସଙ୍ଗଠନ ସମର୍ଥନ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ନିଜ ଦାବିରେ ଅଡି ବସି ରହିଥିବାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily

