ସ୍କୁଲରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ବିଷମକଟକ,୨୫।୨(ପ୍ରସନ୍ନ କୁମାର ପଣ୍ଡା): ଗତ ଜାନୁଆରୀ ୫ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟି ୪ ଛାତ୍ର ଗୁରୁତର ଆହତ ହୋଇଥିଲେ। କଟକ ମେଡିକାଲରେ ଚିକିତ୍ସାଧୀନ ଥିବା ସପ୍ତମ ଶ୍ରେଣୀ ଛାତ୍ର ବୀରେନ ଟାକ୍ରିଙ୍କ ମଙ୍ଗଳବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ଗ୍ରାମବାସୀ ଅଭିଯୋଗ କରି ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ବିଦ୍ୟାଳୟ ଭିତରେ ଶିକ୍ଷକଙ୍କୁ ତାଲା ପକାଇ ଧାରାଣାରେ ବସିଥିଲେ। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀଙ୍କ ଧାରଣା ଯୋଗୁ ବିଦ୍ୟାଳୟ ପରିସରରୁ କୌଣସି ଶିକ୍ଷକ ବାହାରକୁ ବାହାରି ପାରି ନ ଥିଲେ। ବିଷମକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଦୀର୍ଘ ୩ ଘଣ୍ଟା ପରେ ଶିକ୍ଷକମାନେ ବାହାରକୁ ବାହାରିଥିଲେ।

ସୂଚନାଯୋଗ୍ୟ, ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟରେ ଥିନର ବୋତଲ ଥିବାବେଳେ ପିଲାମାନେ ତାକୁ ତଳେ ଢାଳି ଦିଆସିଲି ମାରି ନିଆଁ ଲଗାଇ ଖେଳୁଥିଲେ। ଏହି ସମୟରେ ହଠାତ୍‌ ନିଆଁ ବ୍ୟାପିଯିବାରୁ ପିଲାମାନଙ୍କ ଶରୀରରେ ଅଗ୍ନି ସଂଯୋଗ ହୋଇଯାଇଥିଲା। ଖବରପାଇ ଶିକ୍ଷକ ଓ ସ୍ଥାନୀୟ ଲୋକେ ସତର୍କତାର ସହ ୪ ଛାତ୍ରଙ୍କୁ ଉଦ୍ଧାରକରି ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେମାନେ ହେଲେ ସପ୍ତମ ଶ୍ରେଣୀର ବୀରେନ ଟାକ୍ରି (୧୨), ନବୀନ ହୁଇକା (୧୨), ରୋହିତ ଖୋରା (୧୨) ଏବଂ ପଞ୍ଚମ ଶ୍ରେଣୀର ସୁଦାମ ବାଗ (୧୦) । ତେବେ ସମସ୍ତେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ବୀରେନ ଟାକ୍ରି ଗୁରୁତର ଥିବାରୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ।

Dharitri – Odisha’s No.1 Odia Daily

Share