ପରିବେଶ ଚିନ୍ତାରେ ବିତିଲାଣି ୩୩ ବର୍ଷ

ସିମୁଳିଆ,୯।୯(ଡି.ଏନ.ଏ.)-ମାସେ କି ବର୍ଷେ ନୁହେଁ, ଦୀର୍ଘ ୩୩ବର୍ଷ ହେଲା ପରିବେଶ ସୁରକ୍ଷାରେ ଲାଗିପଡ଼ିଛନ୍ତି ପ୍ରକୃତିପ୍ରେମୀ କାହ୍ନୁଚରଣ ସିଂ। ପେସାରେ ସେ ଜଣେ ଶିକ୍ଷକ, ହେଲେ ନିଶା ପରିବେଶ ସୁରକ୍ଷା ଓ ସମାଜସେବା। ପରିବେଶକୁ ଭଲ ପାଉଥିବା ବ୍ୟକ୍ତିତ୍ୱଙ୍କର ଆଚାର, ବିଚାର ଓ ବ୍ୟବହାର ସମ୍ପୂର୍ଣ୍ଣ ନିଆରା। କାହ୍ନୁଚରଣ ମଧ୍ୟ ସେହିଭଳି ଜଣେ ବ୍ୟକ୍ତିତ୍ୱ।
ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତର ସାନମଇତାପୁର- ମହାନ୍ତିପୋଖରୀ ଅଞ୍ଚଳର କାହ୍ନୁଚରଣ ସିଂ ଈଶ୍ୱରପୁର ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ସିମୁଳିଆ ଓ ଖଇରା ବ୍ଲକର ବିଭିନ୍ନ ୪ଟି ସ୍କୁଲରେ ସେ ଶିକ୍ଷକତା କରିଛନ୍ତି ା ତେବେ ବିଭିନ୍ନ ବିଦ୍ୟାଳୟ ପରିସର ସମେତ ମଇତାପୁର ମେଡିକାଲ, ସରକାରୀ ରାସ୍ତା, କେନାଲବନ୍ଧ ପାର୍ଶ୍ୱରେ ସେ ଗତ ପ୍ରାୟ ୩୩ବର୍ଷ ହେଲା ବୃକ୍ଷରୋପଣ କରିଆସୁଛନ୍ତି ା ସେଥିମଧ୍ୟରେ ବର, ଅଶ୍ୱତ୍ଥ, କଦମ୍ବ, ଆମ୍ବ ଆଦି ବିଭିନ୍ନ ପ୍ରକାର ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଫୁଲ, ଫଳଗଛ ସମେତ ଭଦ୍ରକ ଓ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ୨୫ହଜାର ତାଳଗଛ ରୋପଣ କରିଛନ୍ତି ା ସେ ତାଙ୍କର ଛାତ୍ରୀଛାତ୍ରଙ୍କୁ ଜଣକା ୫ଟି ଲେଖାଏ ଗଛ ଲଗାଇବା ପାଇଁ ପରାମର୍ଶ ଦେବା ସହିତ ନିଜେ ଯାଇ ବୁଲି ଦେଖିଥାନ୍ତି। ପରିବେଶ ପାଇଁ କାହ୍ନୁଚରଣ ମାସିକ ୨୫ଶହ ଟଙ୍କା ଖର୍ଚ୍ଚ କରନ୍ତି ା ଶିକ୍ଷୟିତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ପରିବେଶ କଥା ପାଠରେ ପଢ଼ାନ୍ତି ଓ ବୁଝାନ୍ତି ା ତେବେ ବୃକ୍ଷରୋପଣ ନ କରି ଖାଲି ପାଠରେ ପଢ଼ାଇଲେ ପରିବେଶର ସୁରକ୍ଷା ହୋଇପାରିବ ନାହିଁ ବୋଲି ସେ କହନ୍ତି। ଅପରପକ୍ଷେ ତାଳଗଛ ବଜ୍ରପାତକୁ ପ୍ରତିହତ କରିପାରିବ ବୋଲି ସେ କହନ୍ତି। ‘ସମୟ ସରି ଆସୁଛି, ଜାଗ୍ରତ ହୁଅ’ ବାର୍ତ୍ତା ନେଇ ଶିକ୍ଷକ କାହ୍ନୁଚରଣ ନିଜ ଅଞ୍ଚଳରେ ସମାଜସେବା ପାଇଁ ‘ଓମ୍‌କାର ଦିବ୍ୟସେବା ସମିତି’ ନାମରେ ଏକ ସଙ୍ଗଠନ ଗଢ଼ିଛନ୍ତି ା ଏହି ସମିତିରେ ୧୬ଜଣ ସଭ୍ୟ ବୃକ୍ଷରୋପଣ, ରକ୍ତଦାନ ଆଦି ବିଭିନ୍ନ ସାମାଜିକ କାମ କରୁଛନ୍ତି। କାହ୍ନୁଚରଣ ନିଜେ ମଧ୍ୟ ରେଡ୍‌କ୍ରସକୁ ୩୮ଥର ରକ୍ତଦାନ କରିଛନ୍ତି। ସେ ବାଲେଶ୍ୱର ମଦ ବିରୋଧୀ ଆନ୍ଦୋଳନର ‘ମୋନା’ ସଙ୍ଗଠନର ବ୍ଲକ ସମ୍ପାଦକ ରହିବା ସହିତ ପଡ଼ୋଶୀ ଭଦ୍ରକ ଜିଲା ବିଶ୍ୱ ହିନ୍ଦୁ ପରିଷଦର ଜିଲା ସାଧାରଣ ସମ୍ପାଦକ ରୂପେ ମଧ୍ୟ କାର୍ଯ୍ୟ କରୁଛନ୍ତି ା ଏହାବ୍ୟତୀତ ସ୍ଥାନୀୟ ମଇତାପୁର ରୁଦ୍ରାଶ୍ରମ ଗୋଶାଳା ଓ ଖଡିଗଡିଆ ଭାଗବତ ଆଶ୍ରମର ସଭ୍ୟ ରୂପେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେ ନିଜେ ଜଣେ ଆଦିବାସୀ ଶ୍ରେଣୀର ହୋଇଥିବାରୁ ବିଭିନ୍ନ ହରିଜନ, ଆଦିବାସୀମାନଙ୍କ ସମେତ ସାଧାରଣ ଲୋକଙ୍କୁ ବିଭିନ୍ନ ନିଶା କବଳରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଅନ୍ତି। ଜଣେ ମଞ୍ଚ କଳାକାର ରୂପେ ସେ ସମ୍ମାନିତ ହୋଇଛନ୍ତି ା ବୃକ୍ଷରୋପଣ ପାଇଁ ଗତ ୨୦୧୬ରେ ଶିକ୍ଷକତା କରୁଥିବା ନୂଆସାହି ବିଦ୍ୟାଳୟ ସମେତ ଖଇରା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ା