ବର୍ଷାରେ ଧୋଇଗଲା ୩୦ ହଜାର କୋବି ଗଛ, ଧୂଳିସାତ୍‌ ହେଲା ଚାଷୀଙ୍କ ସ୍ବପ୍ନ

ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): ଅନେକ ଆଶା ଥିଲା ଚାଷ କରି ଭଲ ଦୁଇ ପଇସା କମେଇବେ। ଏଥିପାଇଁ ନିଜ ଜମି ନ ଥାଇ ମଧ୍ୟ ଅନ୍ୟ ଜଣଙ୍କ ଜମିକୁ ଭଡ଼ାସୂତ୍ରରେ ମାଗି କରିଥିଲେ ଚାଷ ହେଲେ ବର୍ଷା ସବୁ ସ୍ବପ୍ନକୁ ଧୂଳିସାତ୍‌ କରିଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ସିକକେତା ଗ୍ରାମର ଶୈଳେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ।

ପ୍ରକାଶ ଯେ, ଶୈଳେନ୍ଦ୍ର ଜଣେ ଭଲ ଚାଷୀ। ସେ ପ୍ରତିବର୍ଷ କୋବି, ବିନ୍‌, ଟମାଟୋ, ବାଇଗଣ ଆଦି ଚାଷ କରନ୍ତି ନିଜ ଜମି ନ ଥିଲେ ମଧ୍ୟ ଅନ୍ୟର ଜମିକୁ ଭଡ଼ାସୂତ୍ରରେ ନେଇ ଚାଷ କରନ୍ତି। ତାଙ୍କର ଏହି ପ୍ରଚେଷ୍ଟା ଦେଖି ଜମି ମାଲିକମାନେ ତାଙ୍କୁ ଜମି ଯୋଗାଇ ଦେଇଥାନ୍ତି। ଚଳିତ ବର୍ଷ ସେ ତାଙ୍କ ଗ୍ରାମର ପ୍ରତ୍ୟୁଷ ପ୍ରଧାନଙ୍କ ଜମିରେ ପ୍ରାୟ ୩୦ ହଜାର ଫୁଲ କୋବିଚାଷ କରିବା ସହ ୨ କେଜି ବିନ୍‌ ମଞ୍ଜି ରୋପଣ କରିଥିଲେ। ବିନ୍‌ ମଧ୍ୟ ଫଳୁ ଥିଲା ଏବଂ କୋବି ମଧ୍ୟ ଫଳିବା ଆରମ୍ଭ ହୋଇଥିଲା। ଗତ ୨ ସପ୍ତାହ ଧରି ଲଘୁଚାପ ଜନିତ ବର୍ଷାରେ ମୂଳ ସଢ଼ିଯିବା ସହ ରୋଗପୋକ ସମ୍ପୂର୍ଣ୍ଣ ଫସଲ ନଷ୍ଟ କରିଦେଲା। ଫଳରେ ଏବେ ସାହୁକାର ଋଣ ଏବଂ ଜମି ଭଡ଼ା ବାବଦକୁ କିଭଳି ଶୁଝିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଶୈଳେନ୍ଦ୍ର ଓ ତାଙ୍କ ପରିବାର। ସେ ଏହି ଚାଷ ଅଗଷ୍ଟ ମାସରୁ ଆରମ୍ଭ କରି ପ୍ରାୟ ୪୦ ହଜାର ଖର୍ଚ୍ଚ କରିଥିବା ବେଳେ କୌଣସି ସରକାରୀ ସାହାଯ୍ୟ କିମ୍ବା ବ୍ୟାଙ୍କରୁ ତାଙ୍କୁ ଟଙ୍କାଟିଏ ମଧ୍ୟ ଋଣ କି କୌଣସି ସହାୟତା ମିଳିନାହିଁ। ସେ ସାହୁକାରଙ୍କଠାରୁ କଳନ୍ତର ଆଣି ଚାଷ କରିଥିବା ବେଳେ ଗ୍ରାମବିକାଶ ଅନୁଷ୍ଠାନ ୧ କେଜି ବିନ୍‌ ମଞ୍ଜି ବିହନ ଯୋଗାଇଦେଇଥିଲା। କୌଣସି ସହାୟତା ନ ଥାଇ ସେ ଏହି ଚାଷ କରି ଏବେ ବଡ଼ କ୍ଷତି ସହିଛନ୍ତି। କେମିତି ସାହୁକାର ଋଣ ଶୁଝିବେ ଚିନ୍ତାରେ ବୋଲି କହିଛନ୍ତି।

 

Dharitri – The Largest & Most Trusted Odia Daily

Share