କନ୍ଧମାଳରେ ଆଉ ୩୦ ମାଓବାଦୀ : ରାଇକିଆ, ଦାରିଙ୍ଗବାଡି, କୋଟଗଡରେ ସକ୍ରିୟ

ଫୁଲବାଣୀ,୨୩।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଆଉ ୩୦ ମାଓବାଦୀ ସକ୍ରିୟ ଅଛନ୍ତି। ସେମାନେ ପ୍ରତିଦିନ ସ୍ଥାନ ବଦଳାଉଛନ୍ତି। ଜିଲାର ରାଇକିଆ, ଦାରିଙ୍ଗବାଡି ଏବଂ କୋଟଗଡରେ ସେମାନେ ବିଚରଣ କରୁଛନ୍ତି। ଆମର ମିଳିତ ଅପରେଶନରେ ରବିବାର ଦୁଇ ମାଓବାଦୀ ନିହତ ହୋଇଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ ମୁକ୍ତ ଅଞ୍ଚଳ କରିବାକୁ ଆମେ ଚେଷ୍ଟା କରୁଛୁ। ଏବେବି ଆମେ ସେମାନଙ୍କୁ ହିଂସା ପଥ ଛାଡି ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଉଛୁ ବୋଲି ସୋମବାର ଜିଲା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମିଳନୀରେ ଏଡିଜିପି ସଂଜୀବ ପଣ୍ଡା ପ୍ରକାଶ କରିଛନ୍ତି।
ଏଥିସହ ଅଧିକ ସୂଚନା ଦେଇ କହିଛନ୍ତି, ରାଇକିଆ ଥାନା ଅନ୍ତର୍ଗତ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀ ରହିଛନ୍ତି।
କନ୍ଧମାଳ ଏସ୍‌ପି ହରିଶ ବି.ସି.ଙ୍କ ନିର୍ଦ୍ଦେଶକ୍ରମେ ଗତ ୨୦ ତାରିଖ ରାତିରୁ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଏସଓଜିର ୧୧ଟି ଟିମ୍‌ ଏବଂ ସିଆରପିଏଫର ୨ଟି ଟିମ୍‌ ସାମିଲ ହୋଇଥିଲେ।

ରବିବାର ସକାଳ ପ୍ରାୟ ୧୧ଟା ସମୟରେ ଶର୍ଚ୍ଚ ଅପରେଶନ ଚାଲିଥିବା ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଦୁଇଜଣ ମାଓବାଦୀ ପ୍ରାଣ ହରାଇଥିଲେ। ମାଓବାଦୀମାନେ କେକେବିଏନ ଡିଭିଜନର ସୁକ୍ରୁଙ୍କ ନେତୃତ୍ୱରେ କାମ କରୁଥିଲେ ଏବଂ ଅନେକ ହିଂସାକାଣ୍ଡରେ ସାମିଲ ଥିଲେ।

Dharitri – Odisha’s No.1 Odia Daily

Share