କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୈତରଣୀ ଟାପୁରେ ଫସିଛନ୍ତି ୩୦ ହାତୀ। ବୈତରଣୀ ନଦୀ ପାର ହୋଇ କେନ୍ଦୁଝରରୁ ମୟୂରଭଞ୍ଜ ଜିଲାକୁ ଯାଉଥିବା ବେଳେ ଲୋକଙ୍କ ଘେରାଉ କାରଣରୁ ମଝିରେ ଏକ ଟାପୁରେ ଅଟକି ଯାଇଛନ୍ତି। ସେମାନଙ୍କୁ ଦେଖିବାକୁ ନଦୀକୂଳରେ ଭିଡ଼ ଜମିଛି। ବନ ବିଭାଗ ସେମାନଙ୍କ ଉପରେ ନଜର ରଖିଛନ୍ତି ଏବଂ ସୁରକ୍ଷିତ ନଦୀ ପାର ହେବା ଅପେକ୍ଷାରେ ରହିଛନ୍ତି। ହାତୀପଲ ତୁରୁମୁଙ୍ଗା ନିକଟରେ ଏନ୍ଏଚ୍ ୪୯ ପାର ହୋଇଥିଲେ। ଚାରି ପଟୁ ଲୋକଙ୍କ ଘେରାଉ ଦେଖି ହାତୀପଲ ନଦୀରେ ପଶି ମୟୂରଭଞ୍ଜ ଜିଲାକୁ ଚାଲି ଯାଇଥିଲେ। ତେବେ ହାତୀମାନଙ୍କୁ ଚାରି ଆଡ଼ୁ ଘଉଡ଼ାଉ ଥିବାରୁ ନଦୀ ମଝିରେ ତିନିଧାରିଆ ଟାପୁରେ ଅଟକି ଯାଇଛନ୍ତି। ଏଣୁ ବନବିଭାଗ ସେମାନଙ୍କୁ ନ ଘଉଡ଼ାଇବାକୁ ସଚେତନ କରିଥିଲେ ହେଁ ଲୋକେ ଶୁଣୁ ନ ଥିବାରୁ ରାତି ହେଲେ ଆରପଟକୁ ଚାଲିଯିବା ସମ୍ଭାବନା ରହିଛି। ଉଭୟ ଜିଲାର ଲୋକମାନେ ନିଜ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିବାରୁ ଏଭଳି ହାତୀପଲ ମଝି ନଦୀରେ ଅଟକି ଯାଇଥିବା ଦେଖିବାକୁ ମିଳିଛି।


