ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଝିଅଟିର ମା’ଙ୍କ ଅନୁଯାୟୀ, ଶିଶୁଟି ଘରେ ଶୋଇଥିଲାବେଳେ ତାଙ୍କ ନିଶାଗ୍ରସ୍ତ ମାମୁ ଝିଅକୁ ଉଠାଇ ନେଇ ପ୍ରାୟ ୫୦୦ ମିଟର ଦୂରରେ ଥିବା ଏକ ବିଲକୁ ଯାଇଥିଲେ। ସେଠାରେ ସେ ଏବଂ ତାଙ୍କ ଦୁଇ ବନ୍ଧୁ ଶିଶୁଟିକୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଝିଅଟିର ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଥିଲେ। ଗ୍ରାମବାସୀ ପ୍ରଥମେ ବିଶ୍ୱାସ କରୁଥିଲେ ଯେ, ଶିଶୁ ଚୋର ଅଞ୍ଚଳରେ ପ୍ରବେଶ କରିଛି। ସମସ୍ତେ ଦୌଡାଦୌଡି ହୋଇ ଘଟଣାସ୍ଥଳକୁ ଗଲାବେଳକୁ ତିନି ଅଭିଯୁକ୍ତ ଶିଶୁଟିକୁ ଛାଡି ଫେରାର ହୋଇଯାଇଥିଲେ। ନିଖୋଜ ଝିଅକୁ ଖୋଜୁଥିବା ପରିବାର ସଦସ୍ୟମାନେ ସେଠାରେ ପହଞ୍ଚି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।
କର୍ତ୍ତୃପକ୍ଷ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଆହତ ଶିଶୁଟିକୁ ହସ୍ପିଟାଲକୁ ପଠାଇଥିଲେ। ଏବେ ସେଠାରେ ଶିଶୁଟି ଚିକିତ୍ସାଧୀନ ଅଛି। ଘଟଣାର କିଛି ସମୟ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଝିଅଟିର ମାମୁ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି ଏବଂ ତାଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଥିବା ପୋଲିସ କହିଛି।
ଏସଡିପିଓ ରଞ୍ଜନ କୁମାର କହିଛନ୍ତି, ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ତିନି ବର୍ଷର ଝିଅକୁ ଗଣବଳାତ୍କାର କରାଯାଇଥିବା ସୂଚନା ମିଳିଥିଲା। ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ଏବଂ ପ୍ରମାଣ ସଂଗ୍ରହ ପାଇଁ ଏକ ଏଫଏସଏଲ ଦଳକୁ ଅପରାଧସ୍ଥଳକୁ ଡକାଯାଇଛି।
Dharitri – Odisha’s No.1 Odia Daily

