ଭୁବନେଶ୍ୱର,୪ା୮(ସୁଚିସ୍ମିତା ସାହୁ):ତିନିବର୍ଷିଆ ଇଣ୍ଟିଗ୍ରେଟେଡ୍ ବି. ଏଡ୍ ଏବଂ ଏମ୍.ଏଡ୍ ନାମଲେଖା ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହେବ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରେଗୁଲାର ମୋଡ୍ରେ ପାଠପଢ଼ା ସୁବିଧା ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ ମୋଡ୍ରେ ପାଠପଢ଼ିବାକୁ ନାମଲେଖା ହେବ। ଏଥିପାଇଁ କୌଣସି ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ମାର୍କ ଓ ସଂରକ୍ଷଣ ମାଧ୍ୟରେ ପାଠପଢ଼ି ପାରିବେ। ସୋମବାର ପୂର୍ବାହ୍ନ ୧୧ଟାରୁ ଛାତ୍ରୀଛାତ୍ର ସାମ୍ସ ପୋଟାର୍ଲରେ କମନ ଆପ୍ଲିକେଶନ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଅଗଷ୍ଟ ୧୭ ରହିଥିବା ବେଳେ ୧୮ ତାରିଖରେ ଫର୍ମର ସଂଶୋଧନ କରିପାରିବେ। ଅଗଷ୍ଟ ୨୨ରେ ପ୍ରଥମ ରାଉଣ୍ଡ୍ ପିଲାଙ୍କୁ ସିଟ ୍ପ୍ରଦାନ କରାଯିବ। ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍ଲାଇଡ୍ ବା ଫ୍ରିଜ୍ ଅପ୍ସନ ଦେଇପାରିବେ। ଏହାସହ ଅଗଷ୍ଟ ୨୩ରୁ ୨୬ତାରିଖ ମଧ୍ୟରେ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନକୁ ଯାଇ ନାମଲେଖାଇ ପାରିବେ। ସେହିପରି ସେପ୍ଟେମ୍ବର ୧ରେ ଦ୍ୱିତୀୟ ରାଉଣ୍ଡ୍ ସିଟ୍ ପ୍ରଦାନ କରାଯିବା ପରେ ୪ ତାରିଖ ମଧ୍ୟରେ ସ୍ଲାଇଡ୍ ବା ଫ୍ରିଜ୍ ଅପଶନ୍ ଦେବାସହ ନାମଲେଖାଇ ପାରିବେ। ଏହାପରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ସେପ୍ଟେମ୍ବର ୮ରେ ପ୍ରକାଶ ପାଇବାକୁ ଥିବାବେଳେ ୧୩ ତାରିଖ ମଧ୍ୟରେ ନାମଲେଖା ସରିବ। ସେପ୍ଟେମ୍ବର ୮ରୁ ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଏବଂ ଏମ୍.ଏଡ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।