୩ ଗୋରୁ ବୋଝେଇ ଟ୍ରକ ଜବତ, ୬ ଅଟକ

ରୂପସା/ଜଳେଶ୍ୱର, ୨୩ା୬(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ଗୋ-ଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ନିୟମିତ ଗୋଚାଲାଣ ହେବା ଆଉ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଚଢାଉ ହେଉଥିଲେ ହେଁ ଗୋରୁ ମାଫିଆମାନେ ଗୋଚାଲାଣ ବ୍ୟବସାୟରୁ ଓହରୁ ନ ଥିବା ଦେଖିବାକୁ ମିଳିଛି। ପୁଣି ବୁଧବାର ପୋଲିସ ୩ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ କରିବା ସହ ସେଥିରୁ ମୁର୍ମୁଷୁ ଅବସ୍ଥାରେ ୨ଶହ ଗୋରୁ ଉଦ୍ଧାର କରିଛି।
ପୂର୍ବାହ୍ନରେ ୩ ଟ୍ରକ (ନଂ. ଓଆର୍‌୦୪ଏଚ୍‌-୭୯୮୯, ଓଡ଼ି୦୪ଏନ୍‌-୫୨୮୬ ଓ ଓଡ଼ି୩୪ଏନ୍‌-୩୬୦୫) ଯୋଗେ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ରାଜଘାଟ ସୁବର୍ଣ୍ଣରେଖା ବ୍ରିଜ ନିକଟରେ ଥିବା ନାକା ପଏଣ୍ଟରେ ଚେକିଂ କରୁଥିବା ପୋଲିସ ଗୋଟିଏ ଟ୍ରକ୍‌କୁ ଅଟକାଇଥିଲା। ଖବରପାଇ ଅନ୍ୟ ଡ୍ରାଇଭର ଅନ୍ୟ ୨ଟି ଟ୍ରକ୍‌ ବସ୍ତା ଥାନା ସନ୍ତୋଷପୁର ନିକଟରେ ଥିବା ଏକ କ୍ରଶର ଭିତରକୁ ନେଇଯାଇଥିଲେ। ନାକା ପଏଣ୍ଟରେ ଥିବା ପୋଲିସ ସେଠାରେ ପହଞ୍ଚତ୍ ବସ୍ତା ଥାନା ପୋଲିସକୁ ଖବର ଦେଇଥିଲେ। ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ଆଇଆଇସି ସୁବ୍ରତ ବେହେରା ପ୍ରମୁଖ ସଦଳବଳେ ଚଢ଼ାଉ କରି ଟ୍ରକ ସବୁକୁ ଜବତ କରିବା ସହ ସେଥିରୁ ୨ଶହରୁ ଊଦ୍ଧର୍‌ବ ଗୋରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଗତ ୨୦ତାରିଖରେ ଏକ ଟ୍ରକ୍‌ରେ ୬୦ରୁ ଊଦ୍ଧର୍‌ବ ଗୋରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଉକ୍ତ ନାକା ପଏଣ୍ଟଠାରେ ଟ୍ରକ୍‌ ଇଞ୍ଜିନ ଖରାପ ହୋଇଥିଲା। ଫଳରେ ଉକ୍ତ ଟ୍ରକ୍‌କୁ ପୋଲିସ ଜବତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରିଥିଲା। ତେବେ କାହା ଇଙ୍ଗିତରେ ନିୟମିତ ଓଡ଼ିଶାରୁ ପଶ୍ଚିମବଙ୍ଗ ବେଫିକର ଗୋଚାଲାଣ ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।