ପୁରୀ/ବ୍ରହ୍ମଗିରି,୧୬।୯: ପୁରୀ ଜିଲାର ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ଗଣବଳାତ୍କାରର ଶିକାର ହୋଇଛନ୍ତି। ଘଟଣାଟି ଗତ ଶନିବାର ମଧ୍ୟାହ୍ନରେ ଘଟିଥିବା ଜଣାପଡ଼ିଛି। ପୀଡ଼ିତା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଲିହରଚଣ୍ଡୀ ଦର୍ଶନ ପାଇ ଯାଇ ସମୁଦ୍ରକୂଳ ଆଡ଼େ ଜଙ୍ଗଲ ଦେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ଚଣ୍ଡିପୁଟ ଗାଁର କାଳିଆ ବେହେରା ଓ ଶିବ ସାହୁ ଉଭୟଙ୍କୁ ବ୍ଲାକମେଲ କରି ୨ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ଛାତ୍ରୀଙ୍କ ବନ୍ଧୁଙ୍କୁ ଗଛରେ ବାନ୍ଧି ତାଙ୍କ ସମ୍ମୁଖରେ କାଳିଆ ଓ ଶିବ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ପରେ ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକି ଉଭୟଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଛାତ୍ରୀ ଓ ତାଙ୍କ ବନ୍ଧୁ ଆହତ ହୋଇଥିଲେ।
ତେବେ ସୋମବାର ପୀଡ଼ିତା ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗଣବଳାତ୍କାର ମାମଲା ରୁଜୁ କରି ପୀଡ଼ିତାଙ୍କୁ ପୁରୀ ସଦର ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଇଛି। ଦୁଇ ଅଭିଯୁକ୍ତ କାଳିଆ ଓ ଶିବଙ୍କୁ ପୋଲିସ ଅଟକ ରଖିଥିବାବେଳେ ଅନ୍ୟ ଦୁଇ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏହି ଘଟଣା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।