ବାଇକ୍‌ରେ ଯିବା ବେଳେ ମାଡ଼ିଗଲା ହାଇଓ୍ବା: ଛଟପଟ ହୋଇ ଚାଲିଗଲା ୩ ଜୀବନ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ.ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୮ ଟାରେ ଏକ ହାଇୱା ଟ୍ରକ (ନଂ.ଓଡି ୦୫ ଏଫ୍‌- ୯୦୦୧) ମାଡ଼ି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଦିଗପହଣ୍ଡି ଅଞ୍ଚଳ କଲୋନୀର ଅଶ୍ଵିନୀ କୁମାର ଦୋରା(୨୮),ବାଳକୃଷ୍ଣ ରେଡ୍ଡୀ(୪୨) ଏବଂ ପନ୍ଦରା ସାହି ର କାଳିଆ ବେହେରା(୩୨)।
ସୂଚନାନୁଯାୟୀ, ବାଇକ ଯୋଗେ ୩ ବାଇକ୍‌ ଆରୋହୀ ପାଟପୁରରୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲେ। ହାଇଓ୍ବା ଧକ୍କା ଦେବା ପରେ ଗୁରୁତର ଆହତ ହୋଇ ସେମାନେ ରାସ୍ତା ଉପରେ ପଡ଼ି ରହିଥିଲେ। ଖବରପାଇ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ୩ ଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମସ୍ତ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ହାଇୱା ଟ୍ରକକୁ ଚାଳକ ଘଟଣାସ୍ଥଳରୁ କିଛି ଦୂରରେ ରାସ୍ତାକଡର ଏକ ଜମିରେ ରଖି ଫେରାର ହୋଇଯାଇଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକଟି ୩୨୬ ନଂ. ଜାତୀୟ ରାଜପଥ ଆସିକା – ଢ଼ଉ ଗାଁଠାରୁ ପୋଡାମାରି ଯାଏ ୪୦ କିମି ରାସ୍ତା ଦୋହରି କରଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ତାହା କଟକର ଠିକା ସଂସ୍ଥା ଏମ୍‌ଏସ୍‌ଆଇଏଲ୍‌ର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୀର୍ଘ ଦିନ ହେଲା ରାସ୍ତାକୁ ଠିକା ସଂସ୍ଥା ଖୋଳି ଦେଇ ଛାଡି ଦେଇଛି। ଫଳରେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଲୋକେ ମୃତାହତ ହୋଇଥିବା ନଜିର ରହିଛି।

Share