ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ ଗୋଟିଏ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ବେରବାଡ଼ିର ସଞ୍ଜୟ ମଲ୍ଲିକ (୨୫) । ଏଥିସହ ଅନ୍ୟ ଦୁଇଟି ଦୁର୍ଘଟଣାରେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଶିଶୁ ଥିବା ବେଳେ ଆଉ ଜଣେ ବ୍ୟାଙ୍କ କର୍ମଚାରୀ ଥିବା ଜଣାପଡିଛି।
ପ୍ରଥମ ଦୁର୍ଘଟଣାଟି ଲେମ୍ଭେଇ ଛକ ନିକଟରେ ଗତକାଲି ରାତିରେ ଘଟିଛି । ସଞ୍ଜୟ ଗତକାଲି ବିଳମ୍ବିତ ରାତିରେ ତାରସିଂ ଆଡୁ ନିଜ ଗ୍ରାମ ଅଭିମୁଖେ ଆସୁଥିଲେ। ଏହି ସମୟରେ ସେ ନିଜ ବାଇକରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହ ଧକ୍କା ହୋଇଯାଇଥିଲେ । ଫଳରେ ଘଟଣା ସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ। ପୋଲିସ ରବିବାର ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଥିଲା ।
ଦ୍ବିତୀୟ ଦୁର୍ଘଟଣା କୁଲାଡରେ ଘଟିଛି। ଏକ ବୋଲର ଗାଡ଼ି ଜଣେ ଶିଶୁଙ୍କୁ ଧକ୍କା ଲଗାଇ ଫେରାର ହୋଇଯାଉଥିଲା। ପୋଲିସ ଗାଡ଼ିକୁ ଜବତ କରିବାରେ ସକ୍ଷମ ହୋଇଛି। ଆହତ ଶିଶୁଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି ।
ତୃତୀୟ ଦୁର୍ଘଟଣା ଭଞ୍ଜନଗର କଲେଜ ପଡ଼ିଆ ମୁଖ୍ୟ ଫାଟକ ନିକଟରେ ଘଟିଛି । ଏକ ଟ୍ରାକ୍ଟର ଗାଡ଼ି ଧକ୍କାରେ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ମଧ୍ୟ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ବୃଦ୍ଧି ପାଉଥିବା ଜଣାପଡିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି ।