FILE PHOTO: A woman holds a small bottle labelled with a "Coronavirus COVID-19 Vaccine" sticker and a medical syringe in this illustration taken October 30, 2020. REUTERS/Dado Ruvic/File Photo
ଭୁବନେଶ୍ୱର, ୨୧।୬(ବ୍ୟୁରୋ):ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ କରୋନା ବା କୋଭିଡ୍ ଟିକା ନେଇନାହାନ୍ତି। ସେହିଭଳି ୪୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରିକଶନ ଡୋଜ୍ ଟିକା ନେଇ ନ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ସୋମବାର ଟିକାକରଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟରେ ୯୦ ପ୍ରତିଶତ ଆଗଧାଡ଼ିର ଯୋଦ୍ଧା ପ୍ରିକଶନ ଡୋଜ୍ ଟିକା ନେଇସାରିଛନ୍ତି। ୧୮ ବର୍ଷରୁ ଉଦ୍ଧର୍ବ ୯୬ ପ୍ରତିଶତ, ୧୨ରୁ ୧୪ ବର୍ଷ ବୟସ୍କ ବର୍ଗର ୯୧ ପ୍ରତିଶତ ଓ ୧୫ରୁ ୧୭ ବର୍ଷ ବୟସ୍କ ବର୍ଗର ୮୦ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି। ବର୍ତ୍ତମାନ ଟିକାକରଣକୁ ତ୍ୱରାନ୍ବିତ କରିବାକୁ ରାଜ୍ୟରେ ଘର ଘର ଦସ୍ତକ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ କିଏ ପ୍ରଥମ ଡୋଜ, ଦ୍ୱିତୀୟ ଡୋଜ ଓ ପ୍ରିକଶନ ଡୋଜ ନେଇଛନ୍ତି, ଆଉ କିଏ ଟିକା ନେଇନାହାନ୍ତି ତାହାକୁ ଚିହ୍ନଟ କରାଯାଇ ମୋବାଇଲ ଭ୍ୟାନ ଜରିଆରେ ଟିକା ଦିଆଯାଉଛି। ଜୁନ ୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୬ ହଜାର ୩୩୪ ଡୋଜ ଟିକା ଦିଆସରିଛି। ଏଥିସହ ଏବେ ରାଜ୍ୟର ୨,୨୭୭ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି।
ଅପରପକ୍ଷେ କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ଏବେ ପୁଣି ସଂକ୍ରମଣ ଧୀରେ ଧୀରେ ବଢ଼ୁଛି। କିନ୍ତୁ ଉଦ୍ବେଗଜନକ ସ୍ଥିତି ନାହିଁ। ନିୟନ୍ତ୍ରଣ କରିବାକୁ ପୁରୁଣା ଷ୍ଟ୍ରାଟେଜି ଆପଣେଇଛୁ। ଟିକାକରଣ ସହ ସର୍ଭେଲାନ୍ସକୁ ଜୋରଦାର କରାଯାଇଛି। ୨୧ ତାରିଖ ମଙ୍ଗଳବାରଠାରୁ ଇଣ୍ଟିଗ୍ରେଟେଡ ସର୍ଭେଲାନ୍ସ ଆରମ୍ଭ ହେବ। ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ଆଇସୋଲେଶନ କରାଯାଇ ଚିକିତ୍ସା କରାଯିବ।