ରାଞ୍ଚିରେ ଅମିତ ଶାହଙ୍କ ଉପସ୍ଥିତିରେ ଏକାଠି ବସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମମତା…

ରାଞ୍ଚି,୧୦।୭: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଆଜି ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଏହା ସହିତ ଏହି ରାଜ୍ୟଗୁଡ଼ିକର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।

ଏହି ବୈଠକରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଆଭ୍ୟନ୍ତରୀଣ ସୁରକ୍ଷା, ମାଓବାଦୀ ସମସ୍ୟା, ଅନ୍ତଃରାଜ୍ୟ ସମନ୍ୱୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସମେତ ଅନ୍ୟ ପ୍ରଶାସନିକ ଓ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି।

ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ହେଉଛି ଏକ ଗୁରୁତ୍ୱପୂର୍ଣ ମଞ୍ଚ, ଯେଉଁଠାରେ ପୂର୍ବ ଭାରତର ରାଜ୍ୟଗୁଡ଼ିକ ନିଜ ନିଜର ସମସ୍ୟା ଓ ଆବଶ୍ୟକତା ଉପରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିଥାନ୍ତି। ଅମିତ ଶାହଙ୍କ ନେତୃତ୍ୱରେ ଏହି ବୈଠକରୁ ଆଞ୍ଚଳିକ ସମସ୍ୟାର ସମାଧାନ ଓ ନୀତିଗତ ନିଷ୍ପତ୍ତି ନେଇ ଗୁରୁତ୍ୱପୂର୍ଣ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି।

ଏହି ବୈଠକ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିକାଶ ଓ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ସୂଚନା ମିଳିଛି। ବୈଠକ ଶେଷରେ ଏକ ଯୌଥ ବିବୃତି ଜାରି କରାଯାଇ ଆଲୋଚନାରୁ ଉଠିଥିବା ଗୁରୁତ୍ୱପୂର୍ଣ ନିଷ୍ପତ୍ତିଗୁଡ଼ିକୁ ସାଧାରଣରେ ପ୍ରକାଶ କରାଯାଇପାରେ।