ସମୁଦ୍ରରେ ଛଡ଼ାଗଲା ୨୪୭ ଅଲିଭରିଡ୍‌ଲେ ଶାବକ

ଭୋଗରାଇ, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରୁ ଶନିବାର ସମୁଦ୍ରକୁ ୨୪୭ଟି ଅଲିଭରିଡ୍‌ଲେ ଶାବକ ଛଡ଼ାଯାଇଥିବା ଜଣାଯାଇଛି। ଗତ ମାର୍ଚ୍ଚ ୨୫ରେ ତାଳସାରୀ-ଉଦୟପୁର ବେଳାଭୂମିରେ ୩ଟି ଓ ମୂରଲୀଚଡ଼ରେ ଗୋଟିଏ ଅଲିଭରିଡ୍‌ଲେ ସମୁଦାୟ ୪ଶହ ଅଣ୍ଡାଦାନ କରିଥିଲେ। ଏଥିମଧ୍ୟରୁ ୩ଟି ଅଲିଭ୍‌ରିଡ୍‌ଲେ ଶାବକ ସମୁଦ୍ରକୁ ଛଡ଼ାଯାଇଥିବାବେଳେ ଅନ୍ୟ ଗୋଟିଏ ଅଲିଭ୍‌ ରିଡ୍‌ଲେ ଶାବକ ୪/୫ଦିନରେ ଛଡ଼ାଯିବ ବୋଲି ବନବିଭାଗ ବନପାଳ ଅଜୟ ଜେନା ସୂଚନା ଦେଇଛନ୍ତି। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ମାଛଧରା ଟ୍ରଲର ଓ ଡଙ୍ଗା ଚଳାଚଳ ମତ୍ସ୍ୟ ବିଭାଗ ପକ୍ଷରୁ ବନ୍ଦ ଥିବାରୁ ନିଃଶବ୍ଦ ଇଲାକାରେ ୪ ଅଲିଭ ରିଡ୍‌ଲେ ଉପକୂଳକୁ ଆଗମନ ହୋଇଥିଲା। ସମସ୍ତ ଅଣ୍ଡାଗୁଡ଼ିକୁ ତାରଜାଲି ଘେରା ଓ ସୁରକ୍ଷିତ ଭାବେ ରଖାଯାଇଥିବାରୁ ଶାବକ ସୁସ୍ଥ ଭାବେ ବାହାରିଥିଲେ। ଗତବର୍ଷ ଏହି ବେଳାଭୂମିରେ ୨ ଅଲିଭ ରିଡ୍‌ଲେ ଦୁଇଶହ ଅଣ୍ଡା ଦେଇଥିବା ବେଳେ ଚଳିତବର୍ଷ ୪ଟି ଅଲିଭ ରିଡ୍‌ଲେ କୂଳକୁ ଆସିଥିଲେ।