ଜୟପୁର,୧୪ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭେଗାହାଣ୍ଡି ୟୁପିଏସ୍ ନୋଡାଲ ସ୍କୁଲରେ ୩ ଦିନରେ ୨୪ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରଥମ ଦିନରେ ୯ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ସେଥିରୁ ୬ ଜଣ ସୁସ୍ଥ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପୁଣି ଗତକାଲି ରାତିରେ ଆଉ ୧୩ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଛାତ୍ରୀମାନଙ୍କର ଝାଡ଼ା ହୋଇଥିଲା ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ତେବେ ଝାଡ଼ା ହେବାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।