ଏଥର ୨୪ ମାସର ପ୍ରସ୍ତୁତି: ଆଜି ପ୍ରାକ୍‌ ବଜେଟ ଆଲୋଚନା

ଭୁବନେଶ୍ୱର,୧୭ା୧ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ଶନିବାରଠାରୁ ପ୍ରାକ୍‌ ବଜେଟ ଆଲୋଚନା ଆରମ୍ଭ ହେବ। ଦୁଇଦିନ ଧରି ହେବାକୁଥିବା ଏହି ଆଲୋଚନା ସମୟରେ ବିଭାଗଗୁଡ଼ିକ ପକ୍ଷରୁ କିପରି ବଜେଟ ପ୍ରସ୍ତୁତ କରାଯାଇଛି ଏବଂ କେଉଁସବୁ ନୂତନ ଯୋଜନା ସ୍ଥାନ ପାଇଛି ଓ ଅଦରକାରୀ ଯୋଜନା ବାଦ୍‌ ପଡ଼ିଛି, ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ପାଇଁ ବିଭାଗ ପକ୍ଷରୁ ଦୂରଦୃଷ୍ଟି ରଖାଯାଇ ଆସନ୍ତା ୨୪ ମାସ ଲାଗି ବଜେଟ ଅଟକଳ ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହିତ ବିଭାଗୀୟ ସଚିବମାନେ ୫ଟି ଅତି ଉତ୍ତମ ପ୍ରସ୍ତାବ ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଏ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନ ବିଭାଗ ସ୍ବତନ୍ତ୍ର ସଚିବ ଡି.କେ. ଜେନା ସବୁ ବିଭାଗ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।
ଜେନା ପତ୍ରରେ ଦର୍ଶାଇଛନ୍ତି, ରାଜ୍ୟ ଉନ୍ନୟନ ଆୟୁକ୍ତ ଦେଓରଞ୍ଜନ କୁମାର ସିଂହ ଏବଂ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ପ୍ରାକ୍‌ ବଜେଟ ଆଲୋଚନା କରାଯିବ। ଏହି ସମୟରେ ଆସନ୍ତା ୨୪ ମାସ ଲାଗି ବିଭାଗ ପକ୍ଷରୁ ବଜେଟ ପ୍ରସ୍ତୁତ କରିବାକୁ ହେବ, ଯାହାଫଳରେ କି ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚତ୍ପାରିବ। ଜେନା ଦେଇଥିବା ପତ୍ର ଅନୁଯାୟୀ, ଶନିବାର ଅପରାହ୍ନ ସାଢ଼େ ୩ଟାରେ ପୂର୍ତ୍ତ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରାକ୍‌ ବଜେଟ ଆଲୋଚନା ପ୍ରଥମେ ରହିଥିବାବେଳେ ଏହାପରେ ଇ ଆଣ୍ଡ୍‌ ଆଇଟି, ଶକ୍ତି ଓ ସମବାୟ ବିଭାଗର ଆଲୋଚନା ହେବ। ସୋମବାର ପୂର୍ବାହ୍ନ ୧୧ଟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପରେ ବାଣିଜ୍ୟ ଓ ପରିବହନ, ନଗର ଉନ୍ନୟନ, ମହିଳା ଓ ଶିଶୁ କଲ୍ୟାଣ, ଜଳସମ୍ପଦ, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ପର୍ଯ୍ୟଟନ, ଜଙ୍ଗଲ ଓ ପରିବେଶ, ମତ୍ସ୍ୟ ଓ ପଶୁସମ୍ପଦ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଆଲୋଚନା ପର୍ଯ୍ୟାୟକ୍ରମେ ପ୍ରତି ୧୫ ମିନିଟ୍‌ ଅନ୍ତରରେ ହେବ। ଏହି ଆଲୋଚନା ପ୍ରକ୍ରିୟାରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ, ଅନୁସୂଚିତ ଜାତି ଓ ଜନଜାତି, ଗୃହ, ଅର୍ଥ, ପଞ୍ଚାୟତିରାଜ, ସାଧାରଣ ଉଦ୍ୟୋଗ, ଶ୍ରମ, କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସାମିଲ କରାଯାଇ ନ ଥିବା ଜଣାପଡ଼ଛି। ସୂଚନାଯୋଗ୍ୟ, ପ୍ରାକ୍‌ ବଜେଟ ଆଲୋଚନା ଚଳିତମାସ ୧୨ରୁ ଦୁଇଦିନ ଲାଗି ହେବାକୁ ରହିଥିଲା। ମାତ୍ର ସରକାରଙ୍କ ପକ୍ଷରୁ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଶନିବାରକୁ ଘୁଞ୍ଚାଯାଇଛି। ଏହାପରେ ଅବଶିଷ୍ଟ ବିଭାଗର ଆଲୋଚନା କରାଯିବାକୁ ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

 

Dharitri – Odisha’s No.1 Odia Daily