୨୪ ଘଣ୍ଟା ବିତିଲାନି, ନିଷ୍ପତ୍ତି ବଦଳାଇଲା ବଜରଙ୍ଗ ଦଳ

ବରଗଡ଼,୧୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରୁ ବାଂଲାଦେଶୀ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ହଟାଇବା ଏବଂ ଅପରାଧ ନିୟନ୍ତ୍ରଣ ଦାବି ନେଇ ବଜରଙ୍ଗ ଦଳ ଆସନ୍ତା ୧୫ତାରିଖ ବରଗଡ଼ ଜିଲା ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ତେବେ ରବିବାର ବରଗଡ଼ ଏସ୍‌ପିଙ୍କ ସହିତ ଆଲୋଚନା ପରେ ବଜରଙ୍ଗ ଦଳ ଏହି ବନ୍ଦ ଡାକରାକୁ ସ୍ଥଗିତ ରଖିଛି। ଏସ୍‌ପିଙ୍କ ସହିତ ଆଲୋଚନା ସମୟରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ସମେତ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶନିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବୈଠକ ହୋଇଥିଲା। ବଜରଙ୍ଗ ଦଳର ଆହ୍ବାନକ୍ରମେ ଅନୁଷ୍ଠିତ ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବା ସହିତ ନିଶା କାରବାର, ଅପରାଧ ବୃଦ୍ଧି ଚିନ୍ତାଜନକ ହୋଇ ପଡ଼ିଛି ବୋଲି ବୈଠକରେ ସମସ୍ତେ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଏହାର ପ୍ରତିବାଦରେ ଆସନ୍ତା ୧୫ତାରିଖ ବରଗଡ଼ ଜିଲାରେ ୧୨ଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପଟେ ବନ୍ଦ ଡାକରା ଦେବାର ୨୪ ଘଣ୍ଟା ନ ବିତୁଣୁ ଏସ୍‌ପିଙ୍କ ସହିତ ଆଲୋଚନା ପରେ ଏହି ବନ୍ଦ ଡାକରାକୁ ସ୍ଥଗିତ ରଖାଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

 Dharitri – Odisha’s No.1 Trusted Odia Daily