ଭବାନୀପାଟଣା,୧ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସ୍ମାରକୀ ନାଟ୍ୟ ସଂସ୍ଥା’ ପକ୍ଷରୁ ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଭବାନୀପାଟଣା ଟାଉନ ହଲଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ‘ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ-୨୦୨୫’ ଅନୁଷ୍ଠିତ ହେବ।
ଉଦ୍ଘାଟନୀ ଉତ୍ସବରେ ନାଟ୍ୟକାର ମନୋଜ ରଥଙ୍କ ରଚିତ ଓ ପ୍ରବୋଧ ରଥଙ୍କ ନିର୍ଦ୍ଦେଶିତ ସ୍ମାରକୀ ନାଟ୍ୟ ସଂସ୍ଥାର ଓଡ଼ିଆ ନାଟକ ‘ଅବାଞ୍ଛିତ କୁରୁକ୍ଷେତ୍ର’ ମଞ୍ଚସ୍ଥ ହେବ। ଉଦ୍ଯାପନୀ ଦିବସରେ ମନୋଜ କୁମାର ସାହା (ଅବିର)ଙ୍କ ନିର୍ଦ୍ଦେଶିତ ନୟାବାଦ ତିତାସ, କଲିକତାର ବଙ୍ଗାଳୀ ନାଟକ ‘ଆପନ କେ ତେୟୋ’ ମଞ୍ଚସ୍ଥ ହେବ। ଏହି ଅବସରରେ ନାଟକ କ୍ଷେତ୍ରରେ କଳାହାଣ୍ଡି ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠରୁ କନିଷ୍ଠ ପାଞ୍ଚପିଢିର ଅଭିନେତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ବରିଷ୍ଠ ବର୍ଗରୁ ବିଶିଷ୍ଟ ଅଭିନେତା ପ୍ରତାପ କିଶୋର ମୁଣ୍ଡ, ସୁରେନ୍ଦ୍ର ନେଗୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜେଶ ଦାଶ, ଲିପ୍ସାରାଣୀ ବାରିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ ଏବଂ ସମ୍ପାଦକ ସୌରଭ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
ସୋମବାର ଭବାନୀପାଟଣା ଲେଖକ କଳା ପରିଷଦ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରବୋଧ ରଥ, ସୌରଭ ମହାପାତ୍ର, ଆଶୁତୋଷ ପୁରୋହିତ, ଆଲୋକ କୁମାର ସାହୁ, କେ. ଗୋପିଧର ନାୟର, ଶୁଭମ ବେହେରାଙ୍କ ସମେତ ସ୍ମାରକୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।

