ଭୁବନେଶ୍ୱର,୨୨।୭: ଓଡ଼ିଶାରେ ଖଣିଜ ସମ୍ପଦର ବିକାଶ ଓ ରାଜ୍ୟର ଅର୍ଥନୀତିକୁ ମଜବୁତ କରିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି। ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଘୋଷଣା କରିଛନ୍ତି ଯେ, ଖୁବଶୀଘ୍ର ରାଜ୍ୟରେ ଆଉ ୨୨ଟି ଖଣି ନିଲାମ କରାଯିବ। ଏହି ନିଲାମ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ରାଜ୍ୟର ରାଜସ୍ୱ ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଜେନା କହିଛନ୍ତି, “ଗତ ଏକ ବର୍ଷ ମଧ୍ୟରେ ଆମେ ୮ଟି ଖଣିର ସଫଳ ଅକ୍ସନ କରି ସାରିଛୁ। ପୂର୍ବତନ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ, ଯାହା ରାଜ୍ୟର ଅର୍ଥନୈତିକ ବିକାଶକୁ ବାଧାପ୍ରାପ୍ତ କରିଥିଲା। ଆମେ ଏହି ଦିଗରେ ଦ୍ରୁତ ପଦକ୍ଷେପ ନେଉଛୁ।”
ଏହି ଖଣି ନିଲାମ ଦ୍ୱାରା ରାଜ୍ୟରେ ଶିଳ୍ପ ସ୍ଥାପନ ତ୍ୱରାନ୍ୱିତ ହେବ ଏବଂ ବଡ଼ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଖଣି ନିଲାମ ମାଧ୍ୟମରେ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ, ଯାହା ବିକାଶମୂଳକ କାର୍ଯ୍ୟ ପାଇଁ ବ୍ୟବହୃତ ହେବ। ଏହା ସହିତ ଶିଳ୍ପ ଆସିଲେ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହେବ।”
ଓଡ଼ିଶାର ଖଣିଜ ସମ୍ପଦ ଦେଶରେ ଅନ୍ୟତମ ସମୃଦ୍ଧ ଭାବେ ପରିଚିତ। ଏହି ୨୨ଟି ଖଣି ନିଲାମ ହେବା ଦ୍ୱାରା ରାଜ୍ୟରେ ଖଣିଜ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଅର୍ଥନୈତିକ ଗତିଶୀଳତା ଆସିବ। ତେବେ, ଏହି ନିଲାମ ପ୍ରକ୍ରିୟା ସ୍ୱଚ୍ଛ ଏବଂ ନିୟମାନୁସାରେ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।


