୪୦ ଡିଗ୍ରୀ ଉପରେ ୨୨ ସହର: ବଲାଙ୍ଗୀର ୪୩.୩

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ମଙ୍ଗଳବାର ରାଜ୍ୟର ୨୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ସମ୍ବଲପୁର ୪୨.୯, ଝାରସୁଗୁଡା ୪୨.୮, ସୋନପୁର ୪୨.୬, ଭୁବନେଶ୍ୱର ୪୨.୬, ବରଗଡ଼ ୪୨.୪, ହୀରାକୁଦ ୪୨.୧, ବାରିପଦା ୪୨, ସୁନ୍ଦରଗଡ଼ ୪୧.୮, ତାଳଚେର ୪୧.୮, ଅନୁଗୋଳ ୪୧.୭, ରାଉରକେଲା ୪୧.୬, ଖୋର୍ଦ୍ଧା ୪୧.୫, ଢେଙ୍କାନାଳ ୪୧.୪, ବୌଦ୍ଧ ୪୧, କଟକ ୪୧, ଚାନ୍ଦବାଲି ୪୦.୭, କେନ୍ଦ୍ରାପଡ଼ା ୪୦.୬, ଯାଜପୁର ୪୦.୫, ଟିଟିଲାଗଡ଼ ୪୦, ନୂଆପଡ଼ା ୪୦ ଏବଂ ଜଗତ୍‌ସିଂହପୁରରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।
ଉପକୂଳରେ ଦିନତମାମ ପ୍ରଚଣ୍ଡ ଖରା ହେଉଥିବା ବେଳେ ଅପରାହ୍ନରେ କେତେକ ସ୍ଥାନରେ ଝଡ଼ବର୍ଷା ଯୋଗୁ ପରିବେଶ ଶୀତଳ ହେଉଛି। ଗରମ ପ୍ରଭାବ ଜାରି ରହିଛି। ଆସନ୍ତା ସପ୍ତାହେ ଯାଏ ପାଗରେ ସେପରି କିଛି ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୮ ତାରିଖ ଯାଏ ରାଜ୍ୟର ଅନେକ ଜିଲାରେ ଝଡ଼ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।