ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ ୨୧,୦୨୪ ପରୀକ୍ଷାର୍ଥୀ ୧୧୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ସକାଳ ୯ ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୮ ଟାରୁ ପିଲାମାନଙ୍କୁ କେନ୍ଦ୍ରରେ ପ୍ରବେଶ କରାଯାଇଛି । ପରୀକ୍ଷା ସୁପରିଚାଳନାପାଇଁ ୧୧ଟି ନୋଡାଲ ସେଣ୍ଟର କରାଯାଇଛି । ମଧ୍ୟମାରେ ୨୮୪, ଏସ୍ଓଏସ୍ସିରେ ୫୮ ଓ ସିସି (କମ୍ପ୍ଲିସନ ସାର୍ଟିଫିକେଟ୍)ରେ ୨୨ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ରଖିବା ପାଇଁ ଭଦ୍ରକ ବ୍ଲକରେ ଜିଲା ସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାସୁଦେବପୁରରେ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ, ଚାନ୍ଦବାଲି ମତୋ ଉଚ୍ଚ ବିଦ୍ୟାଳୟ ଓ ଧାମରାଇ ଉଚ୍ଚ ବିଦ୍ୟାଳୟ ନରସିଂହପୁର, ଧାମନଗରରେ ମୂରଲୀଧର ହାଇସ୍କୁଲ, ଧୁଷୁରୀ ଓ ଧାମନଗର ଉଚ୍ଚ ବିଦ୍ୟାଳୟ, ଭଣ୍ଡାରିପୋଖରୀ ବ୍ଲକରେ ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ, ବନ୍ତ ବ୍ଲକରେ ବନ୍ତ ଓ ଆଗରପଡ଼ା ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି।
ସେହିପରି ଭଦ୍ରକ ବ୍ଲକରେ ୨୦ଟି ପରୀକ୍ଷା କେନ୍ଦ୍ର, ଭଣ୍ଡାରିପୋଖରୀରେ ୯, ବନ୍ତରେ ୧୪, ଚାନ୍ଦବାଲିରେ ୨୦, ଧାମନଗରରେ ୧୭, ବାସୁଦେବପୁରରେ ୨୧ ଓ ତିହିଡ଼ି ବ୍ଲକରେ ୧୪ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ପରୀକ୍ଷା ପରିଚାଳନା ସୁପରିଣ୍ଟେଣ୍ଡେଣ୍ଟ, ୧୧୫ ଅବ୍ଜର୍ଭର ଓ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ଡେସ୍ପାଚ୍ ଟିମ୍ ଗଠନ କରାଯାଇଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।