ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା ୨୧ ଦିନ, ୧୮ ଦିନ, ୧ ୩ ଓ ୧୧ ଦିନ ଧରି ଚାଲିଥାଏ । ଆଜିଠୁ ଆରମ୍ଭ ହୋଇଥିବା ଦଣ୍ଡଯାତ୍ରା ମେରୁ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ ।
ଦଣ୍ଡିଆମାନେ ମା’ ଦଣ୍ଡକାଳୀ ଓ ଶିବଙ୍କୁ ସାଥିରେ ଧରି ଗାଁକୁ ଗାଁ ଘରକୁ ଘର ବୁଲି ମାନସିକଧାରୀମାନଙ୍କ ଘର ସମ୍ମୁଖରେ ଯାତ୍ରା କରି ମାନସିକଧାରୀଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ବିଶ୍ୱାସ ରହିଛି ମାଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହୋଇଥାଏ । ୨୧ ଦିନ ଧରି ପାଟ ଭୁକୁତାଙ୍କ ନିର୍ଦ୍ଦେଶ ଅନୁସାରେ ମାଙ୍କ ଯାତ୍ରା ପାଳନ ହୋଇଥାଏ । ସକାଳୁ ସକାଳୁ ମାନସିକଧାରୀମାନଙ୍କ ଘରେ ମା’ଙ୍କୁ ସାଥିରେ ଧରି ପହଂଚି ମା’ ଦଣ୍ଡକାଳୀ ଓ ଶିବଙ୍କୁ ବରଣ କରାଯାଏ । ପରେ ମଧ୍ୟାହ୍ନରେ ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଇତ୍ୟାଦି ସମ୍ପନ୍ନ ହୋଇଥାଏ । ସନ୍ଧ୍ୟାରେ ମାଙ୍କ ରିତିନିତି ଅନୁଯାୟୀ ଆଳତି ଓ ପୂଜାର୍ଚ୍ଚନା କରିବା ପରେ ଅଧ ରାତିରେ ମା’ଙ୍କୁ ଅନ୍ନ ପ୍ରସାଦ ଲାଗି କରାଯାଇଥାଏ । ରାତିରେ ସାଂସ୍କୃତିକ ନୃତ୍ୟ ପରିବେଶଣ କରାଯାଇଥାଏ ।
ଏହି ପରିପ୍ରେକ୍ଷୀରେ ବୁଧବାର ଠାରୁ ଛତ୍ରପୁର ସହର ଆଖପାଖ ଅଂଚଳରେ ଥିବା ବିଭିନ୍ନ ଦଣ୍ଡକାଳୀ ମନ୍ଦିରରେ ମାଙ୍କ ଯାତ୍ରାର ଶୁଭାରମ୍ଭ ହୋଇଛି । ଛତ୍ରପୁର ବ୍ଲକର ଲଣ୍ଡାବାଉଁଶ ପାରମ୍ପରିକ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି ବୋଲି ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି କହିଛନ୍ତି । ପ୍ରତ୍ୟୁଷରେ ଭୁକୁତାମାନେ ଗ୍ରାମର ପୋଖରୀକୁ ଯାଇ ସ୍ନାନାଦି କର୍ମ ସାରିବା ପରେ ସୁର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସାରି ଗ୍ରାମ ପରିକ୍ରମା କରିବା ପରେ ଦଣ୍ଡକାଳୀ ମନ୍ଦିରକୁ ଫେରିଥିଲେ । ଦଣ୍ଡଯାତ୍ରା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରାଯାଇଥାଏ । ମାନସିକ ଦଣ୍ଡଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଲଣ୍ଡାବାଉଁଶ ଗ୍ରାମରେ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ପର୍ଯ୍ୟାୟ କ୍ରମେ ଯାତ୍ରା ଆରମ୍ଭ ହେବ । ଶ୍ରଦ୍ଧାଳୁମାନେ ବହୁ ମାତ୍ରାରେ ବୁଲି ଧୂଳି ଦଣ୍ଡ ଏବଂ ସନ୍ଧ୍ୟା ଆଳତି ଦେଖିବାକୁ ଜନ ଗହଳି ହେଉଥିବା ଦେଖିବାକୁ ମିଳିଛି ।