ଗଜପତି,୩୦।୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବୁଧବାର ସାରେ ପ୍ରାୟ ୨୦ ଫୁଟ ଲମ୍ବର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି l ଗଞ୍ଜାମ ଜିଲା ଚିକିଟିର ସ୍ନେକ ହେଲ୍ପଲାଇନର ସଦସ୍ୟ ସାପଟିକୁ ଉଦ୍ଧାର କରିଥିବା ଜଣାପଡିଛି l କିଛି ଦିନ ହେବ ବିଦ୍ୟାଳୟ ପରିସରରେ ଉକ୍ତ ସାପଟି ବୁଲା ବୁଲି କରୁଥିବା ବେଳେ ତାକୁ କେହି ଧରି ପାରୁ ନ ଥିଲେ। ସାରେ ବିଦ୍ୟାଳୟ ପରିସରରେ ଥିବା ଷଷ୍ଠ ଶ୍ରେଣୀ ଗୃହ ଭିତରକୁ ସାପଟି ପଶି ଆସିଥିବା ଜାଣିପାରି ସେଠାକାର କର୍ମଚାରୀମାନେ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ ଫଳରେ ସାପଟି ବାହାରକୁ ବାହାରି ପାରି ନ ଥିଲା। ସାପକୁ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ। ସାପଟି ଉକ୍ତ ଶ୍ରେଣୀଗୃହରେ ପ୍ରାୟ ତିନି ଘଣ୍ଟା ଧରି ରହିଥିଲା। ହେଲ୍ପଲାଇନ୍ର ଦୁଇ ଜଣ ସଦସ୍ୟ ରାମଚନ୍ଦ୍ର ସାହୁ ଓ ଜଗନ୍ନାଥ ସାହୁ ଆସି ସାପ ଟିକୁ ଉଦ୍ଧାର କରିଥିଲେl ସାପଟିକୁ ଉଦ୍ଧାର କରିବା ପାଇଁ ସେମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା ପ୍ରାୟ ଅଧ ଘଣ୍ଟା ପରେ ସାପଟି ଧରାପଡ଼ିଥିଲା। ଫଣା ଟେକି ଫଁ ଫଁ ଗର୍ଜନ କରୁଥିବା ଏହି ୨୦ ଫୁଟ ଲମ୍ବର ଏହି ଅହିରାଜକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ପ୍ରବଳ ଗହଳି ଜମାଇଥିଲେ l ତେବେ ଏହାକୁ ପରେ ଜଙ୍ଗଲରେ ଛଡ଼ା ଯାଇଥିଲା।