ଘର ଆଗରେ ଖେଳୁଥିବା ସମୟରେ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର କଲେ ୨ ଯୁବକ, ଖୋଜି ଖୋଜି ପହଞ୍ଚିଗଲେ ମା’

ରଣପୁର, ୨୪ା୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଗୁରୁବାର ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି। ଜଣେ ନାବାଳିକାଙ୍କୁ ୨ଜଣ ଦୁଆରୁ ଡାକି ନେଇ ଏକ ବୁଦାମୂଳେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ରଣପୁର ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ନଂ. ୨୬/୨୬ ପୋକ୍‌ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଶୁକ୍ରବାର ଯୁବକଙ୍କୁ ଗିରଫ କରିବା ସହିତ ଏହି ଘଟଣାରେ ଜଡ଼ିତ ନାବାଳକଙ୍କୁ ଥାନାରେ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛି। ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୦)ଙ୍କ ପରିବାର ରୁହନ୍ତି। ଗୁରୁବାର ନାବାଳିକା ଘର ଆଗରେ ଖେଳୁଥିବା ସମୟରେ ଜଣେ ନାବାଳକ ତାକୁ ଖେଳିବା ପାଇଁ ଡାକି ନିକଟରେ ଥିବା ଏକ ବୁଦାମୂଳକୁ ନେଇ ଯାଇଥିଲେ। ସେଠାରେ ପ୍ରଶାନ୍ତ ନାୟକ (୨୩) ଓ ନାବାଳକ ଜଣଙ୍କ ମିଶି ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ନାବାଳିକାଙ୍କୁ ଖୋଜି ମା’ ବୁଦାମୂଳକୁ ଯାଇଥିବା ବେଳେ ଝିଅ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରୁ ବଳାତ୍କାରୀ ଦ୍ୱୟ ଫେରାର ହୋଇଯାଇଥିଲେ। ପୀଡ଼ିତାଙ୍କୁ ସେଠାରୁ ମା’ ଉଦ୍ଧାର କରିଥିଲେ। ଶୁକ୍ରବାର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ଓ ପୋଲିସ ପହଞ୍ଚତ୍ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ରଣପୁର କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ଯୁବକଙ୍କ ଜାମିନ ନାମଞ୍ଜୁର ହେବାରୁ ରଣପୁର ଉପକାରାଗାରକୁ ପଠାଇ ଦିଆଯାଇଛି। ଅପରପକ୍ଷେ ନାବାଳକଙ୍କୁ ଥାନାରେ ରଖାଯାଇଛି।

Dharitri – The Largest & Most Trusted Odia Daily