ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର: ଆକ୍ରମଣ ଭୟରେ ଗଛକୁ ଚଢିଲେ ଲୋକେ

ନୂଆପଡ଼ା,୧୫ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ଗାଁରେ ଶନିବାର ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୋସେଙ୍ଗ ଗାଁର ଦିପଚନ ମାଝି(୩୭) ଓ ଅମୂଳ ମାଝି (୨୮)। ଅନ୍ୟପକ୍ଷେ ଗୁରୁତରଙ୍କୁ ଉଦ୍ଧାର ପାଇଁ ଯାଇଥିବା ଲୋକେ ଭାଲୁ ଆକ୍ରମଣ ଭୟରେ ଗଛ ଉପରକୁ ଚଢିଯାଇଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ସକାଳେ ଦିପଚନ ଓ ଅମୂଳ ଡାଲାମପଲା ଜଙ୍ଗଲକୁ ଜେଲେଣି କାଠ ପାଇଁ ଯାଇଥିଲେ। ସେହି ସମୟରେ ଖାଦ୍ୟ ଅନ୍ବେଷଣରେ ନବଜାତ ଛୁଆମାନଙ୍କୁ ଧରି ବୁଲୁଥିବା ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଅମୂଳଙ୍କୁ ଭାଲୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା। ଦିପଚନ ଛଡାଇବା ପାଇଁ ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିଲେ। ଦିପଚନଙ୍କୁ ଆକ୍ରମଣ ସମୟରେ ରକ୍ତାକ୍ତ ହୋଇଥିବା ଅମୂଳ ଉକ୍ତ ଜଙ୍ଗଲରେ ଥିବା ପହରିଆ ଘରକୁ ଦୌଡ଼ି ପଲାଇଥିଲେ। ପହରିଆ ବୁଢା ଗାଁ ଲୋକଙ୍କୁ ଖବର ଦେବା ପରେ ୧୦ରୁ ଊର୍ଦ୍ଧ୍ୱ ଲୋକ ସେମାନଙ୍କୁ ଉଦ୍ଧାର ପାଇଁ ଜଙ୍ଗଲରେ ପହଞ୍ଚତ୍ଲେ। ଭାଲୁ ସେମାନଙ୍କୁ ଆକ୍ରମଣ ପାଇଁ ଦୌଡିବାରୁ ସମସ୍ତେ ଗଛ ଉପରକୁ ଚଢି ଯାଇଥିଲେ। ଭାଲୁ ନିଜ ଛୁଆମାନଙ୍କୁ ରଖି ପଇଁତରା ମାରୁଥିବାରୁ ଗଛରେ ଥିବା ଲୋକେ ତଳକୁ ଓହ୍ଲାଇ ପାରୁ ନ ଥିଲେ। ଦୀର୍ଘ ୩ରୁ ୪ ଘଣ୍ଟା ପରେ ଭାଲୁ ଛୁଆମାନଙ୍କୁ ନେଇ ଏକ ଗଛ ଛାଇରେ ଶୋଇପଡିବାରୁ ଗଛ ଉପରେ ଥିବା ଲୋକମାନେ ଓହ୍ଲାଇ ଖସି ଆସିଥିଲେ। ଗାଁର ୨ଜଣ ବ୍ୟକ୍ତି ଅନ୍ୟ ରାସ୍ତା ଦେଇ ବାଇକ୍‌ରେ ଯାଇ ଗୁରୁତରମାନଙ୍କୁ ଆଣି ସୁନାବେଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Share