ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି ଥିବା ଏକ ହଣ୍ଡାରେ ପଡ଼ି ଜଣେ ୨ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଏକମ୍ବା ଗ୍ରାମର ରମେଶ ଭଟ୍ଟଙ୍କ ଝିଅ ନତାଶା।
ମିଳିଥିବା ସୂଚନାମୁତାବକ, ରମେଶ ଭଟ୍ଟଙ୍କୁ ଆବାସ ଗୃହ ମିଳିଥିଲା। ବୁଧବାର ସକାଳୁ ଆବାସ ଗୃହର ଛାତ ପକାଇବା ସ୍ଥିର ହୋଇଥିଲା। ଛାତ ପକାଇବା କାମରେ ରମେଶ ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ବ୍ୟସ୍ତ ଥିଲେ। ଏହି ସମୟରେ ରମେଶଙ୍କ ୨ ବର୍ଷର ଝିଅ ନତାଶା ଘର ନିକଟରେ ଥିବା ଏକ ପାଣି ଭର୍ତ୍ତି ହଣ୍ଡା ମଧ୍ୟରେ ପଡି ଯାଇଥିଲେ। ତେବେ ପରିବାର ଲୋକ ନତାଶାଙ୍କୁ ପାଖରେ ନ ଥିବା ଦେଖି ଖୋଜାଖୋଜି କରିଥିଲେ। ସା ପ୍ରାୟ ୪ଟାରେ ପାଣି ହଣ୍ଡାରେ ପଡି ନତାଶାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ।