ନାଗାବାଳୀ ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ରାୟଗଡ଼ା,୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠ ଝୁଲାପୋଲରେ ଗୁରୁବାର ପୁଣି ଏକ ଅଘଟଣ ଘଟିଛି ା ଝୁଲାପୋଲରେ ତଳେ ଥିବା ନାଗାବଳୀ ନଦୀରେ ବୁଡ଼ି ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ରାଣୀଗୁଡାର ସି.ଏଚ. ଭାର୍ଗବ ଚରଣ(୧୨) ଓ ସାଇପ୍ରିୟା ନଗରର ଶ୍ରୀନୁ କୁମାର ଯାଦବ(୧୨)। ଉଭୟ ଛାତ୍ର ସ୍ଥାନୀୟ ଦୀପ୍ତି କନ୍‌ଭେଣ୍ଟ ସ୍କୁଲର ୬ଷ୍ଠ ଶ୍ରେଣୀରେ ପଢୁଥିଲେ।

ସୂଚନା ଅନୁଯାୟୀ, ପରୀକ୍ଷା ସରିବା ପରେ ୪ ଜଣ ଛାତ୍ର ଗୁରୁବାର ଅପରାହ୍ନରେ ସାଙ୍ଗ ହୋଇ ନାଗାବଳୀ ନଦୀ ଝୁଲାପୋଲ ନିକଟକୁ ବୁଲିବାକୁ ଯାଇଥିଲେ। ଝୁଲା ପୋଲରେ ଖେଳୁଥିବାବେଳେ ବଲ୍‌ ନଦୀକୂଳରେ ପଡ଼ିଯାଇଥିଲା। ଭାର୍ଗବ ବଲ୍‌ ଆଣିବାକୁ ନଦୀ ଭିତରକୁ ଯିବାବେଳେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଶ୍ରୀନୁ ନଦୀ ଭିତରକୁ ଯାଇଥିବାବେଳେ ପାଣି ସ୍ରୋତରେ ଉଭୟେ ଭାସି ଯାଇଥିଲେ।

ଅନ୍ୟ ୨ ଜଣ ସାଙ୍ଗ ଜନ୍ମେଞ୍ଜୟ ସାଉଁନ୍ତା ଓ ଏ. ଭବେଶ ଘଟଣା ସମ୍ପର୍କରେ ଦେଖି ନିକଟସ୍ଥ ମାରିଗୁଡା ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚତ୍ ବହୁ ଖୋଜାଖୋଜି କରିବା ପରେ କିଛି ଦୂରରେ ୨ ମୃତଦେହକୁ ଜବତ କରିଛନ୍ତି। ସୂଚନା ପାଇ ରାୟଗଡ଼ା ଟାଉନ ଥାନା ଏସ୍‌ଆଇ ସଞ୍ଜୟ ଛତର ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହିତ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି। ସେଠାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।

Share