ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ ମୃତ୍ୟୁ ହୋଇଛି । ଖବରପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁସାରେ, ରାଉରକେଲା ଅଞ୍ଚଳରୁ ଆସିଥିବା ଜ୍ଞାନେନ୍ଦ୍ର ସ୍ୱାଇଁ ନାମକ ବ୍ୟକ୍ତି ସାଥିରେ ଜଣେ ଯୁବତୀ ସମ୍ପୃକ୍ତ ଅଞ୍ଚଳକୁ ଆସିଥିଲେ । ଆଜି ପ୍ରାୟ ୧୦ଟା ବେଳେ ବ୍ରାହ୍ମଣୀ ନଦୀ କୂଳ ନିକଟରେ ଏକ ବାଇକ ଓ କିଛି କପଡା ଥିବା ନେଇ ନିକଟ ଗ୍ରାମ ବାସିନ୍ଦାଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ । ପରେ ନଦୀରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ।
ଯୁବକଙ୍କ ପରିବାର ଲୋକେ ଖବର ପାଇ ଆସିଥିବା ବେଳେ ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେବେ କେଉଁ ପରିସ୍ଥିତିରେ ଉଭୟଙ୍କର ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଖବରପାଇ ଚାନ୍ଦିପୋଷ ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।


