ସଡ଼କ ଦୁର୍ଘଟଣାରେ ଆଖି ବୁଜିଥିଲେ ୨ ଓଡ଼ିଆ ଶ୍ରମିକ, ଏମ୍‌ପି ଅନନ୍ତ ନାୟକଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଖଜିରାପାଟ ପଞ୍ଚାୟତ ସୁରେନ୍ଦ୍ରପୁର ଗ୍ରାମର ୨ ଜଣ ଶ୍ରମିକ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରୁଥିଲେ। ଗତ ମେ’ ୧୧ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ମୃତ ୨ ଜଣଙ୍କ ଶବ ଗାଁକୁ ଆଣିବା ପାଇଁ କେନ୍ଦୁଝର ଏମପି ଅନନ୍ତ ନାୟକ ଏବଂ ଜିଲା ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା କରାଯାଇ ଶ୍ରମିକମାନେ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା। ପରେ ଗୁରୁବାର ରାତିରେ ଆମ୍ବୁଲାନ୍ସ ସାହାଯ୍ୟରେ ୨ ଜଣଙ୍କ ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଗାଁ ମଶାଣିରେ ଉଭୟଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସୂଚନାନୁଯାୟୀ, ମୃତଯୁବକଦ୍ୱୟ ଗ୍ରାମର ବାବୁଲି ମୁଣ୍ଡାଙ୍କ ପୁଅ ହୃଷିକେଶ (୩୫) ଏବଂ ଜୟକୃଷ୍ଣ ହେମ୍ବ୍ରମଙ୍କ ପୁଅ ଭକ୍ତବନ୍ଧୁ (୨୦)। ଉଭୟ ବେଙ୍ଗାଲୁରୁର ହସକଟାରେ ଥିବା ପିକସ୍ପସ ନାମକ ଏକ କାର୍ଟୁନ କମ୍ପାନୀରେ ଦେଢ଼ବର୍ଷ ହେବ କାର୍ଯ୍ୟ କରୁଥିଲେ। ଗତ ୧୧ ତାରିଖରେ ଉଭୟ କାମ ସାରି ବାଇକ ଯୋଗେ ମଲିମକନପୁରରେ ରହୁଥିବା ରୁମକୁ ଫେରୁଥିବା ସମୟରେ ହସକଟା ଥାନା ଅନ୍ତର୍ଗତ ହସକଟା ନିକଟରେ ଏକ ଆଇଚର ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜୟକୃଷ୍ଣ ହେମ୍ବ୍ରମଙ୍କ ମୃତ୍ୟୁ ହୋଇଥିବା ବେଳେ ହୃଷିକେଶଙ୍କ ସ୍ଥାନୀୟ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ହସକଟା ପୋଲିସ ଦୁଇ ମୃତଦେହକୁ ବ୍ୟବଚ୍ଛେଦ କରାଇଥିଲା। ସେମାନଙ୍କ ମୃତ୍ୟୁ ଖବର ଘରେ ପହଞ୍ଚିବା ପରେ ପରିବାର ଲୋକେ ମୃତଦେହକୁ ଗାଁକୁ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ମୃତଦେହ ଆଣିବାକୁ ପରିବାରଲୋକେ ଅସମର୍ଥ ହୋଇଥିଲେ । ଏଭଳି ଦୁଃଖଦ ଖବର କେନ୍ଦୁଝର ଏମପି ଅନନ୍ତ ନାଏକ ଜାଣିବା ପରେ ମୃତଦେହ କିପରି ଗାଁକୁ ଆସିବ ସେ ନେଇ ଜିଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ ଏବଂ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପରେ ଏକ ଆମ୍ବୁଲାନ୍ସ ସହାୟତାରେ ଉଭୟଙ୍କର ମୃତଦେହ ସେଠାରୁ ଅଣାଯାଇ ଗାଁରେ ପହଞ୍ଚିଥିଲା । ଏମ ପି ନାୟକଙ୍କ ପ୍ରଚେଷ୍ଟା ଏବଂ ଜିଲା ପ୍ରଶାସନର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Share
Tags: odishapatna