କୋଟପାଡ଼,୧୬ା୬(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଛୋତର୍ଲା ପଞ୍ଚୟତ ନିକଟସ୍ଥ ଗୁଲମୀ ଜଳପ୍ରପାତରେ ଜଣେ ନାବାଳକ ବୁଡ଼ି ଯାଇ ପ୍ରାଣ ହରାଇଥିବାବେଳେ ଆଉ ଜଣେ ନିଖୋଜ ଅଛନ୍ତି। ମୃତ ନାବାଳକ ଜଣକ ହେଲେ ଆଲୋକ ରାଜ ସୁନା(୧୫)। କୋଟପାଡ଼ ଗୁଲମୀ ଜଳପ୍ରପାତଙ୍କୁ ରବିବାର ନବରଙ୍ଗପୁର ଜିଲା କୋଷଗୁମୁଡ଼ା ବ୍ଲକର ୫ ଜଣ ବୁଲିବାକୁ ଆସିଥିଲେ। ଗତ କିଛିଦିନ ହେବ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କୋଲାବ ନଦୀ ଜଳ ଗୁଲମୀ ଜଳପ୍ରପାତ ଦେଇ ପ୍ରବାହିତ ହେଉଛି ବୁଲୁବାକୁ ଆସିଥିବା ପିଲାମାନେ ଗୁଲମୀରେ ବିଭିନ୍ନ ସ୍ଥାନରେ ଫୋଟ ଉଠାଉ ଥିବା ସମୟରେ ଦୁଇ ନାବାଳକ ପ୍ରଖର ସ୍ରୋତରେ ଖସିି ପଡ଼ିଥିଲେ। ଫଳରେ ସାଙ୍ଗମାନେ ବହୁ ଖୋଜାଖୋଜି କଲା ପରେ କୋଟପାଡ଼ ଥାନାକୁ ଖବର ଦେଇଥିଲେ। କୋଟପାଡ଼ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ପାଇ ନ ଥିଲେ। ସନ୍ଧ୍ୟା ହୋଇ ଆସୁଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ସୋମବାର ସକାଳେ ଜୟପୁର ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବାବେଳେ ଆଲୋକଙ୍କ ମୃତଦେହ ମିଳିଛି। ନିଖୋଜ ଜଣକ ହେଲେ କିରଣ ମିର୍ଗାନ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି l