ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି । ରବିବାର ସକାଳେ ୨ ଟି ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି ।

ସକାଳେ ହୋଟେଲ ମାଲିକ ଏବଂ କିଛି ଗ୍ରାମବାସୀ ସାପକୁ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ। ଖବର ପ୍ରଚାରିତ ହେବାପରେ ସାପ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ହୋଇଥିଲା। ଏନେଇ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ରେଞ୍ଜର ଦିବ୍ୟରଞ୍ଜନ ସାହୁ, ଫରେଷ୍ଟର ସନ୍ତୋଷ ବିଷୋୟୀ ରତ୍ନ ସ୍ନେକ ହେଲ୍ପଲାଇନ ସଦସ୍ୟ କାଳିଆ ନାହାକଙ୍କୁ ଜଣାଇଥିଲେ। ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟଗାର୍ଡ ରାଜ କୁମାର ରଇତ, ସୁଜାତା ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ସହାୟତାରେ ଉଦ୍ଧାର କରିଥିଲେ ।

ତେବେ ଉଦ୍ଧାର ହୋଇଥିବା ଦୁଇ କିଙ୍ଗ କୋବ୍ରା ମଧ୍ୟରୁ ଗୋଟିଏ ପ୍ରାୟ ୧୩ ଫୁଟ ଲମ୍ବର ପୁରୁଷ ପ୍ରଜାତିର ହୋଇଥିବା ବେଳେ ଅନ୍ୟଟି ୧୦ ଫୁଟ ଲମ୍ବ ବିଶିଷ୍ଟ ମାଈ ପ୍ରଜାତିର । ତେବେ ଦୁଇ କିଙ୍ଗ କୋବ୍ରାକୁ ଉଦ୍ଧାର ପରେ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛଡାଯାଇଥିବା ସୂଚନା ରହିଛି ।

 

Dharitri – Odisha’s No.1 Odia Daily

Share