ଲାଞ୍ଚ ନେଇ ଧରାପଡ଼ିଲେ ୨ ଯନ୍ତ୍ରୀ, ବିଲ୍‌ ପାସ୍‌ କରାଇବା ପାଇଁ ଠିକାଦାରଙ୍କଠାରୁ …

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲାଞ୍ଚ ନେଇ ଧରାପଡ଼ିଛନ୍ତି ଦୁଇ ଯନ୍ତ୍ରୀ। ମୟୂରଭଞ୍ଜ ଜିଲା ଉଦଳାସ୍ଥିତ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେଶନ (ଓଏଲଆଇସି) ଉପ-ବିଭାଗରେ କାର୍ଯ୍ୟରତ ଦୁଇ ଅଧିକାରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ମାଡ଼ିବସିଛି। ଏକ ବିଲ୍‌ ପାସ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କଠାରୁ ୬୦୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ତାଙ୍କଠାରୁ ସମସ୍ତ କେମିକାଲ ବୋଳା ନୋଟ୍‌କୁ ଜବତ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସହକାରୀ ନିର୍ବାହୀ ଇଞ୍ଜିନିୟର (ଏଇଇ) ହରେକୃଷ୍ଣ ସିଂ ଏବଂ ବାରିପଦାରୁ ଉଦଳାରେ ଦାୟିତ୍ୱରେ ଥିବା ଜୁନିଅର ଇଞ୍ଜିନିୟର (ଜେଇ) ସୁବ୍ରତ ମହାନ୍ତି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ (କେସ୍‌ ନମ୍ବର ୧/୨୦୨୬), ପିସି (ସଂଶୋଧନ) ଆଇନ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି । । ଗିରଫ ପରେ ସିଂଙ୍କ ୨ଟି ସ୍ଥାନ ଏବଂ ମହାନ୍ତିଙ୍କ ୩ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି ।

ସୂଚନାଯୋଗ୍ୟ, ଠିକାଦାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପର ବକେୟା ବିଲ୍‌ (ପ୍ରାୟ ୫ ଲକ୍ଷ) ଏବଂ ସିକୁୁରିଟି ଡିପୋଜିଟ ଛାଡ଼ିବା ପାଇଁ ଏହି ଦୁଇ ଅଧିକାରୀ ୪.୫% ହାରରେ ମୋଟ୍‌ ୧.୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ମଧ୍ୟରେ ଏଇଇଙ୍କ ୧.୫% ହିସାବରେ ୩୨ ହଜାର ଏବଂ ଜେଇଙ୍କ ୩% ହ୍ସାବରେ ୨୮ହଜାର ରହିଥିଲା । ମୋଟ୍‌ ୬୦୦୦୦ହଜାର ଟଙ୍କା ନ ଦେଲେ ବିଲ୍‌ ପାସ୍‌ ହେବ ନାହିଁ ବୋଲି ଠିକାଦାରଙ୍କୁ ରୋକଠୋକ କହିଥିଲେ। ଏହି ହଇରାଣରୁ ବିରକ୍ତ ହୋଇ ଠିକାଦାର ଜଣକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବା ସମୟରେ ଉଭୟଙ୍କଠାରୁ ଜବତ କରିଥିଲେ।

 Dharitri – Odisha’s No.1 Trusted Odia Daily

Share