ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମ ନିକଟ ମା’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟାଟା ଏସି ଗାଡ଼ି ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସାନଭାଇ ଅଜୟ କୁମାର ମହାରଣା ଓରଫ ମିଟୁଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଅପରାହ୍ନରେ ବଡ଼ଭାଇ ଅରୁଣ କୁମାର ମହାରଣାଙ୍କ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ତ୍ରିନାଥ ମହାରଣାଙ୍କ ସହଧର୍ମିଣୀ କନକଲତା ମହାରଣାଙ୍କ ଗତ ୧୦ ଦିନ ପୂର୍ବେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଏକାଦଶାହ କାର୍ଯ୍ୟ ରହିଥିବା ବେଳେ ବୁଧବାର ଦ୍ବାଦଶାହ ଶୁଦ୍ଧି ଭୋଜି କାର୍ଯ୍ୟ ନିମନ୍ତେ ଦୁଇଭାଇ ଅଜୟ ଓ ଅରୁଣ ନିଜ ସ୍କୁଟି ଯୋଗେ ବାଳକୃଷ୍ଣପୁର ଗ୍ରାମରୁ ସହଦେବ ଟିକରପଡ଼ା ଯାଉଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲ ଅଣାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ସାନଭାଇ ଅଜୟଙ୍କୁ ମୃତ ଘୋଷିତ କରିବା ସହ ଅରୁଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଅରୁଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଡାକ୍ତର ସୂଚନା ଦେଇଥିଲେ। ସ୍ତ୍ରୀ ଓ ଦୁଇ ରୋଜଗାରିଆ ପୁଅକୁ ହରାଇ ବାପା ତ୍ରିନାଥ ଭାଙ୍ଗି ପଡ଼ିଛନ୍ତି। ଯେହେତୁ ସ୍ତ୍ରୀଙ୍କ ଏକାଦଶାହରେ ସାନପୁଅ ଏବଂ ଦ୍ବାଦଶାହରେ ବଡ଼ପୁଅର ଏଭଳି ମୃତ୍ୟୁ ସହ୍ୟ କରିପାରୁ ନାହାନ୍ତି ତ୍ରିନାଥ। ଏନେଇ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏଏସ୍ଆଇ ମନୋଜ ସିଂ ମାମଲା ନଂ.୪୨୯/୨୫ ଅନୁଯାୟୀ ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ଗାଡ଼ି ଚାଳକ ଫେରାର ରହିଛନ୍ତ। ପୋଲିସ ବୁଧବାର ସକାଳୁ ଅଜୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲା। ଅପରାହ୍ନ ଗୋଟାଏ ସମୟରେ ମୃତଦେହ ଗ୍ରାମରେ ପହଞ୍ଚିବାର କିଛି କ୍ଷଣକ ମଧ୍ୟରେ ବଡ଼ଭାଇ ଅରୁଣଙ୍କ ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା ବିଳମ୍ବିତ ସନ୍ଧ୍ୟାରେ ଅରୁଣଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ସହ ଗାଁ ଶ୍ମଶାନରେ ଗୋଟିଏ ଜୁଇରେ ଦୁଇଭାଇଙ୍କ ଅନ୍ତିମ ସଂସ୍କାର ହୋଇଥିଲା।ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ରେଡ୍କ୍ରସ ପାଣ୍ଠିରୁ ୬୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି।