ସମ୍ବଲପୁର,୭।୨: ଟ୍ରକ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ ଶୁକ୍ରବାର ୨ ଦିନିଆ ରିମାଣ୍ଡରେ ଆଣି ପଲିଗ୍ରାଫ ଟେଷ୍ଟ କରାଯାଇଛି। ପଲିଗ୍ରାଫ ଟେଷ୍ଟରେ ପୋଲିସ କ’ଣ ସବୁ ତଥ୍ୟ ପାଇଛି ତାହା କହି ନ ଥିବା ବେଳେ ଖୁବ ଶୀଘ୍ର ସମ୍ବଲପୁର ଡବଲ ମର୍ଡରର ଗୁମର ଖୋଲିବ ବୋଲି ଜଣାପଡିଛି।
ପୂର୍ବରୁ ମଧ୍ୟ ପୋଲିସ ପ୍ରସନ୍ନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ସେତିକିବେଳେ ହାଇୱା ଚାଳକ ଭାଜପା ନେତାଙ୍କ କାରକୁ ଜାଣିଶୁଣି ଧକ୍କା ଦେଇଥିଲେ ବୋଲି କହିଛନ୍ତି। ଏପରିକି କୋର୍ଟ ଚାଲାଣ ବେଳେ ଜିଲା ପୋଲିସ ମୁଖ୍ୟାଳୟ ନିକଟରେ ଗଣମାଧ୍ୟମକୁ ହାଇୱା ଚାଳକ ଦେଇଥିବା ପ୍ରତିକ୍ରିୟାରେ କୌଣସି ତାଳମେଳ ରହି ନ ଥିଲା। ସେ ପ୍ରଥମେ କହିଥିଲେ ଯେ, ନିଦ ଲାଗିଯିବାରୁ ଦୁର୍ଘଟଣା ଘଟିଲା। ପୁଣି ମତ ବଦଳାଇ କହିଥିଲେ ହାଇୱାରେ ମଣିଷ ମାରି ମୁଁ ପାପ କରିଛି। ପ୍ରଥମ ଥର ଭୁଲରେ ତାଙ୍କ ହାଇୱା ଉକ୍ତ କାର୍ରେ ବାଜି ଯାଇଥିଲା। ଦ୍ୱିତୀୟ ଥର ଆଖି ଲାଗିଯିବାରୁ ଓ ତୃତୀୟ ଥର ଜାଣିଶୁଣି କାରକୁ ଧକ୍କା ଦେଇଥିଲେ ବୋଲି ସେ କହିଛନ୍ତି। ମାତ୍ର କାହିଁକି ବୋଲି ପଚାରିବାରେ ଭୁଲ୍ବଶତଃ ଅନ୍ୟ ଏକ କାର୍ ଭାବି ଏହି କାର୍କୁ ଧକ୍କା ଦେଇଥିଲେ ବୋଲି କହିଥିଲେ। ଏଭଳି ବୟାନକୁ ନେଇ ଘଟଣା ଅଧିକ ରହସ୍ୟାବୃତ ରହିଥିଲା। ଅନ୍ୟପକ୍ଷେ ପୋଲିସ ସଠିକ୍ ପ୍ରମାଣ ତଥ୍ୟ ଯୋଗାଡ ପାଇଁ ପୁଣି ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାରଙ୍କୁ ରିଆଣ୍ଡରେ ଆଣି ପଚରାଉଚରା କରିବା ସହ ପଲିଗ୍ରାଫ ଟେଷ୍ଟ କରାଇଛି।
ସୂଚନାଯୋଗ୍ୟ, ୫୩ନଂ. ଜାତୀୟ ରାଜପଥର ଆ. କଟାପାଲିଠାରେ ହାଇୱା ଚାପାରେ ୬ଜଣ କାର୍ ଆରୋହୀଙ୍କ ମଧ୍ୟରୁ ଗୋଶାଳା ଭାଜପା ମଣ୍ଡଳ ସଭାପତି କରଡୋଲା ଗ୍ରାମର ଦେବେନ୍ଦ୍ର ନାୟକ ଓ କରଡୋଲାର ପୂର୍ବତନ ସରପଞ୍ଚ ଚାରପାଲି ଗ୍ରାମର ମୁରଲୀ ଛୁରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବରିଷ୍ଠ ଭାଜପା କର୍ମୀ କରଡୋଲା ପାଣି ପଞ୍ଚାୟତ ସଭାପତି ରାମନାରାୟଣ ପଣ୍ଡା(କୁନା), ବସନ୍ତପୁର ଗ୍ରାମର ସମାଜସେବୀ ସୁରେଶ ଛନ୍ଦ ଗୁରୁତର ଆହତ ହୋଇଥିଲେ।